ତୁମେ ମୋ କବିତା ବର୍ଣ୍ଣାଢ୍ୟ ବନିତା
ତୁମେ ମୋ କବିତା ବର୍ଣ୍ଣାଢ୍ୟ ବନିତା
ପ୍ରୀତି କହିବି କି ଗୀତି ଗଳ୍ପଗୁଚ୍ଛ
ସ୍ମୃତି ଶୁଭସ୍ମିତା
ବାଗ୍ମୀ ବଉଳ ।
ତୁମେ ମୋ' କବିତା ବର୍ଣ୍ଣାଢ୍ୟ ବନିତା
ରୂପେ ନିରୁପମା
ଗୁଣ ଅତୁଳ ।।
ବନ୍ଧୁ ଭାବିବି ନା ବାନ୍ଧବୀ ଭାବିବି
ପ୍ରଭାତ ପୀୟୂଷ
ଋତୁର ରାଣୀ ।
ଋତୁରେ ଋତୁରେ ସଂଭ୍ରମ ରୀତିରେ
ଆଙ୍କି ଦେଇଯାଅ
କଳ୍ପ କାହାଣୀ ।।
କଳ୍ପକାହାଣୀରେ ମୋ' କାବ୍ୟକିନ୍ନର
ସ୍ବର୍ଗୀୟ ସ୍ବପ୍ନକୁ
ଚେତନା ଦିଏ ।
ଚିତ୍ରକଳ୍ପ ଦେଇ ରୂପକଳ୍ପ ନେଇ
ବାସ୍ତବ ଦୁନିଆ
ସଙ୍ଗୀତ ଗାଏ ।।
ସୀମାହୀନ ତୁମ ବନ୍ଧୁ ରଙ୍ଗଶାଳା
ମୋ' କାବ୍ୟ ଦେଉଳ
ସିଦ୍ଧ ସାରଥି ।
ଶବ୍ଦହୀନ ସିନା, ଶବ୍ଦରେ ଶବ୍ଦରେ
ନିଜ ଅଜାଣତେ
ସାଜେ ସୁକାନ୍ତି ।।
ଦୂରେ ଦୂରେ ଥାଇ ପାଖରେ ବାସୁଛ,
ତୁମ ସୁରଭିରେ
ପଳାଶ ବାସେ ।
ମୃଦୁ ମୃଦୁ ତୁମ ସୁର ମୂର୍ଚ୍ଚନାରେ
ମରୁ ଇଲାକାରେ
ମଳୟ ହସେ ।।
ବିଶ୍ୱ ଭାରତୀ ବି ନମ୍ରତା ପଣରେ
ନଇଁ ଥମିଯାଏ
ତୁମରି ଆଗେ ।
ମହୁ ଠୁ ମଧୁର ବଚନ ତୁମର
ସୁମନ ଶ୍ରଦ୍ଧାରେ
ସୁରଭି ମାଗେ ।।
ଛଳନା ଶିଖିନା,ନାହିଁ ପ୍ରତାରଣା
ବରଂ ପ୍ରତାରିତ
ଥରକୁ ଥର ।
ସେଇଥିପାଇଁ ଗୋ ଦୁନିଆକୁ ଡର
ତଥାପି ଦୁନିଆ
କର ନିଜର ।।