ତୁମେ କାହିଁ ଆସ
ତୁମେ କାହିଁ ଆସ
ତୁମେ କାହିଁ ଆସ ବେସୁରା ନିଦାଘ
ହୃଦୟରେ କ୍ଷତ କରି
ଜଳିଯାଏ ମନ ମଉଳେ ଏ ତନ
ଜୀବନରୁ ସୁଖ ହରି ।
ଅସରା ଶ୍ରାବଣ ହୁଅଇ ଦାରୁଣ
ନୟନରୁ ଯାଏ ଝରି
ସପନ ସଜାଇ ପଥ ଥାଏ ଚାହିଁ
ଚାତକ, ଚାତକୀ ପରି ।
ଶିଶିର ଭରା ଏ ଶୀତ ସକାଳର
ଉତ୍ତରା ପବନ ଜାଡ
ସହି ପାରୁନାହିଁ ଏ ତନୁ ମୋହର
ଭାଙ୍ଗିଯାଏ ମେରୁ ହାଡ ।
ତୁମେ କାହିଁ ଆସ ବସନ୍ତ ମଳୟ
ଚଇତି ମହକ ନେଇ
ମନେ ଭରି ଆଶା ଜୀବନ ଜିଜ୍ଞାସା
ଫେରିଯାଅ ଦୁଃଖ ଦେଇ ।
ଫଗୁଣର ରଙ୍ଗ ହୁଅଇ ବେରଙ୍ଗ
ଝରିଯାଏ ଝରାଫୁଲ
ତୋତେ ଝୁରିଝୁରି ଦିନ ଯାଏ ସରି
ମାଗି ମମତାର ମୂଲ ।
ଆସନାହିଁ ଆଉ ସାଜିବାକୁ ଦାଉ
ଅଲୋଡ଼ା ଜୀବନେ ମୋର
ଭରସା ପାଉନି ମନ ମୋ ମାନୁନି
ଚାହିଁବାକୁ ପଥ ତୋର ।