ତୁମେ ଜୀବନର ରାହା
ତୁମେ ଜୀବନର ରାହା
ତୁମରି ସଂସାରେ ଜନମ ଦେଇଛ
ଦେଇଛ ବଞ୍ଚିବା ରାହା
ସୁଖରେ ଦୁଃଖରେ ବିପଦେ ଆପଦେ
ହୋଇଅଛ ପ୍ରଭୂ ସାହା I
ପାଣି ଓ ପବନ ଖଞ୍ଜିଛ ମୋ ପାଇଁ
ପେଟକୁ ଦେଇଛ ଦାନା
ଶ୍ରୀମନ୍ଦିରେ ତବ ଉଡାଇ ଦେଇଛ
ପତିତ ପାବନ ବାନା I
ବୁଦ୍ଧି ଓ ବିବେକ ଦେଇଅଛ ମୋତେ
ଏତିକି ଦେଇନ କିଆଁ
ଶୟନେ ସପନେ ଅବା ଜାଗରଣେ
ନେଉନାହିଁ ତୁମ ନାଁ' I
ଶୁଦ୍ଧ ପୂତ ନୁହେଁ ଆଚରଣ ମୋର
ଉଚାରଣ ଲାଗେ ଗଳ୍ପ
ସେଥିପାଇଁ ପ୍ରଭୁ କହୁଛି ଅନେକ
ପାଳୁଛି ଅଳପ ଅଳ୍ପ I
ହାତ ଟେକିଦେଲି ତୁମରି ଆଗରେ
ଧରିନିଅ ଧରିନିଅ
ମୋ ମନରେ ଯେତେ ପାପ ଅଛି ପ୍ରଭୁ
ହରିନିଅ ହରିନିଅ I
ପଞ୍ଚଭୁତେ ମୋର ଶରୀର ଗଢିଛ
ପଞ୍ଚଭୁତେ ହେବି ଲୀନ
ଆତ୍ମାହୋଇ ତୁମେ ମୋ ଭିତରେ ଅଛ
ରହିଥିବ ଚିରଦିନ I
