ତୁମେ ଏମିତି କାହିଁକି କଲ
ତୁମେ ଏମିତି କାହିଁକି କଲ
ଶ୍ରେଷ୍ଠଜୀବ ରୂପେ ମର୍ତ୍ତ୍ୟେ ମାନବକୁ
ଗଢିଥିଲ ଭଗବାନ
ସିଏ କିନ୍ତୁ ଆଜି ଲକ୍ଷ୍ଯ ପଥଭ୍ରଷ୍ଟ
ହରାଇଛି ବୁଦ୍ଧିଜ୍ଞାନ ।
ଠୁଳାଏ ସେ ଅର୍ଥ ଧନ ଓ ସମ୍ପତ୍ତି
ଭୋଗବିଳାସରେ ମାତି
ମିଛ ମାୟା ମୋହ ଭୌତିକ ସୁଖରେ
ବଳାଉଅଛି ଆସକ୍ତି ।
ବଢୁଅଛି ତାର କାମନା ବାସନା
ଅହଂକାର ଇର୍ଷା ଦ୍ବେଷ
ପାଲଟୁଛି ହିଂସ୍ର ବର୍ବର ମଣିଷ
ଦେଖି ଲାଗେ ତାକୁ ତ୍ରାସ ।
ବଢୁଛି ସମାଜେ ପାପ ବ୍ଯଭୀଚାର
ଗୁଳିକାଣ୍ଡ ହାଣକାଟ
ବୁଲେ ଅପରାଧି ଛାତିକୁ ଫୁଲାଇ
ଦେଖାଏ ଦୁର୍ଜନ ଥାଟ ।
ମରିଯାଉଅଛି ମଣିଷପଣିଆ
ସାଧାରଣ ବେସାହାରା
ଧନ ବାହୁବଳେ ଅନ୍ଧ ହୋଇ ମୁଢ
ଧରାକୁ ମଣଇ ସରା ।
ଦିନ ଦ୍ବିପ୍ରହରେ ଚାଲେ ବେଧଡ଼କ
ଲୁଣ୍ଠନ କଳାବଜାର
ବିଚରା ଗରୀବ ହୁଅଇ ଶୋଷିତ
ଅପହଞ୍ଚ ନ୍ଯାୟ ଦୂର ।
ନାରୀର ମର୍ଯ୍ୟାଦା ହୁଏ ଭୂଲୁଣ୍ଠିତ
ଲାଗଇ ଲଜ୍ଜା ସଙ୍କୋଚ
ନାରକୀୟ କାଣ୍ଡ ଚାଲନ୍ତି ଭିଆଇ
ରାକ୍ଷସ ଯୌନପିଶାଚ ।
ଉଠେ ମନେ ପ୍ରଶ୍ନ ଧ୍ବଂସର କାରଣ
କାହିଁକି ହୁଏ ମଣିଷ
କାହିଁକି ବିଶ୍ବାସେ ଅକାରଣ ସିଏ
ଭରେ ହଳାହଳ ବିଷ ।
ଏମିତି କାହିଁକି କଲ ତୁମେ ପ୍ରଭୁ
କ୍ଷମ ଦୋଷ ଜଗଦୀଶ
ଯୋଡି କରପତ୍ର ନିବେଦନ ମାତ୍ର
ଦିଅ ବାରେ ଶୁଭାଶିଷ ।
