STORYMIRROR

Sasmita Choudhury

Tragedy

3  

Sasmita Choudhury

Tragedy

ତୁମ ପ୍ରତାରଣା

ତୁମ ପ୍ରତାରଣା

1 min
242


ଭାବିଥିଲି ମୁଁ ସାଜିବ ତୁମେ ମୋ'

କୁଆଁରୀ ମନରେ 

କୁଆଁର ପୁନେଇଁ ଇନ୍ଦୁ, 

ପଟୁଆର ନେଇ ସାଜିଦେବ ମୋର

ଲଜ୍ଜା ଆରକ୍ତ କପାଳ ଦେଶରେ

ଦୀପ୍ତ ସିନ୍ଦୂର ବିନ୍ଦୁ। 


ପ୍ରତୀକ୍ଷାରେ ମୋର ଦେଲ କି ପାଉଣା 

ସାଜିଲ ଆଉ କା' ମନ୍ଦିରେ ଦେବତା 

କାହାର ସିନ୍ଦୂର ଶଙ୍ଖା, 

ପ୍ରେମ-ଉପହାର 

ଖାଲି ପ୍ରତାରଣା 

ଜୀଇଁଛି ମୁଁ ଏକା ଏକା। 


ପ୍ରତିଶ୍ରୁତି ମୋର ରଖିବା ପାଇଁ କି

ପ୍ରତିବନ୍ଧ ଡେଇଁ ଯେବେ ମୁଁ ଆସିଲି ଫେରି, 

ମୋ' ଜୀବନ ପରିସରୁ ସେତେବେଳେ 

ଦୂର ଅନ୍ତରୀକ୍ଷେ ଇତସ୍ତତଃ ଏକ

ଭସା ମେଘ ଭଳି 

ଯାଇଥିଲ ଅପସରି। 


ଉଜୁଡି ଗଲା ମୋ' ସପନ ସହର, 

ବିପର୍ଯ୍ୟସ୍ତ ମୋର ଆଶା ଅସୁମାରୀ... 

ତୁମେ ଚାଲିଗଲା ପରେ, 

ତୁମେ ଦେଇଥିବା ମିଛ ପ୍ରତିଶ୍ରୁତି, 

ମିଠା ସ୍ବପ୍ନ ମୋତେ 

ଜାଳୁଥିଲେ ଶ୍ରାବଣରେ। 


ଲୁହ ଲହରୀରେ ଭାସୁଛି ଏକା ମୁଁ 

ଆଶ୍ରା ବିହୀନ 

ସୁଅ ମୁହେଁ ପତ୍ର ଟିଏ, 

ମିଳନ ସପନ ଆଖିରେ ଯା ଥିଲା 

ହତାଶା ବତାସେ

ଭାସିଗଲା ସବୁ ଲୁହେ। 


ଜହ୍ନର ଜୋଛନା ବିରହ ସାଥେ ମୋ

ନିତି ଖେଳେ ଲୁଚକାଳି, 

ଖୋଲା ଆଖିରେ ଯା'

ରାତି ବିତେ ମୋର

ଆଗାମୀ ଅନ୍ଧାରେ ଡୁବି ଥିବା ମୋର

ସପନକୁ ଡରି ଡରି। 


କରୁଣ ଭାଷାର ଶବ୍ଦକୋଷଟେ ମୁଁ 

ଦୁର୍ବୋଧ୍ଯ ତୁମକୁ ମୋ' ମନର ଯେତେ

ପ୍ରୀତି ଗୁନ୍ଥା ଅନୁରାଗ, 

ତହିଁ କି ସାଜିଲ ବିରାମ ଚିହ୍ନଟେ, 

ହଜିଗଲା ମୋର

ବଞ୍ଚିରହିବା ସରାଗ। 


ମୁଁ କିନ୍ତୁ ତୁମକୁ ସାଇତି ରଖିଚି 

ରତ୍ନ ସିଂହାସନେ

ମୋ ମନ ଭଙ୍ଗା ଦେଉଳେ, 

ପ୍ରେମ ପୂଜାରିଣୀ, ହେଲେ ପ୍ରତାରିତା

ପୂଜେ ମୁଁ ତୁମକୁ 

ନିତି ନିଜ ଅଶ୍ରୁ ଜଳେ। 


ପ୍ରତାରଣା ତୁମ ଆପଣାର କରି

ଭଗ୍ନ ମନୋରଥେ

କବିତାରେ ଗୁନ୍ଥି ବେଦନା ବିଧୂର ମାଳ, 

ମନ ଅଗଣା ମୋ ସଜାଇ ରଖିବି

ଏ ମିଥ୍ୟା ସଂସାରେ 

ଜୀଇଁ ଥିବି ଯେତେ କାଳ। 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy