STORYMIRROR

Dr Baman Chandra Dixit

Romance Fantasy

4  

Dr Baman Chandra Dixit

Romance Fantasy

ତୁମ ପାଇଁ

ତୁମ ପାଇଁ

1 min
334


ପେନ୍ଥାଏ ଫୁଲ ମୁଁ     ଗଭାରେ ତୁମର

    ଘନ କୁନ୍ତଳ ତଳେ ଦୋଳିବି

ମେଘ ଚାଦର ଘୁଞ୍ଚେଇ   କିରଣ ବିଛେଇ

   ଲୋହିତ ପରାଗ ବୋଳିବି।

  ମୁଁ ଗୋ ପୀରତି ସଉଧ ତୋଳିବି।।


କେଶ ବୁଣି ବୁଣି    ସଜେଇଲେ ବେଣୀ

      ନୀତମ୍ବ ଛୁଇଁବ ଲମ୍ବରେ

ସାଜି  ମଲ୍ଲିକା      କଳି   ମାଳିକା

      ଛୁଉଁ ଥିବି ଅଙ୍ଗ ଦମ୍ଭରେ

ଯେବେ ଛଟକେ ଛାଟିବ  ସଜଡ଼ା ଜୁଡ଼ା କୁ

       ମାଦକ ମହକ ବୋଳିବି।

    ମୁଁ ଗୋ ପୀରତି ସଉଧ ତୋଳିବି।।


କଳା କଜଳର     ହୋଇ ସରୁ ଗାର

     ଲାଖି ଥିବି ତୁମ ନୟନେ

ଆଖି କୋଣ ଡେଇଁ    ଭୃ-ଲତା କୁ ଛୁଇଁ

     ସାୟକ ସାଜି ମୁଁ ଯତନେ

ପ୍ରୀତି ତୀର ଯୋଖି    ରତୀ ପତି ମତି   

     କାମ ରସ ଘୋଳି ବୋଳିବି।

   ମୁଁ ଗୋ ପୀରତି ସଉଧ ତୋଳିବି।।


ଲାଜ ଟିକେ ହୋଇ     ଢଳି ଯିବି ମୁହିଁ

     ଅବନତ ନେତ୍ର ପଲକୁ

ରଙ୍ଗୀଣୀ ଫୁଲର      ରଙ୍ଗ ମାଖୀ ସଖି

      ରଙ୍ଗେଇ ରଚିବି ଗାଲକୁ

ଅକୁହା କଥାର       ଅଶୁଭା ଶବଦେ

      ପୀରତି ଝଙ୍କାର ତୋଳିବି।

    ମୁଁ ଗୋ ପୀରତି ସଉଧ ତୋଳିବି।।


ଅଧରେ ତୁମର       ରକତ ଜବା ର

     ଲେଖିବି ଲୋହିତ ଗୀତିକା

ଚେନାଏ ହସର       ଚୋରା କାରବାର

      ଛାତି ତଳେ ଲୁଚି ଲୁଚିକା

ଗରମ ଗରମ        ନିଃଶ୍ୱାସ ହୋଇ ମୁଁ

     ମରମେ ଶରମ ଢାଳିବି।

   ମୁଁ ଗୋ ପୀରତି ସଉଧ ତୋଳିବି।।


ମନ ଅଗଣା ରେ      ଆଶା ଆଲୁଅ ରେ

      ଲେଉଟା ଛାଇ କୁ ଦେଖି

କଳ୍ପନା ନାୟିକା      ଛାୟାଚିତ୍ର ଲେଖା

      ନିଜେ ଦେଖେ ନିଜେ ଲେଖି

ଛାତି ଫଟା ଶ୍ବାସ      ଲୁହ ଭିଜା ହସ

      କଲମ ମୁନରେ ବୋଳିବି

    ମୁଁ ଗୋ ପୀରତି ସଉଧ ତୋଳିବି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance