ତୁମ ପାଇଁ କବିତା
ତୁମ ପାଇଁ କବିତା
ଓଠ ଫାଙ୍କରେ ହସମାନେ
କେବେ ସ୍ମିତ ତ କେବେ ଅଧିର
ପୁଣି କେବେ ଦୃଷ୍ଟ ରହସ୍ଯରେ ,
ସତେ ଅବା ଏ ମୁଖର ଗଗନରେ ,
ହସମାନେ ଗୋଟେ ଗୋଟେ ରଂଗ ସାଜି
ଗଢିଥାନ୍ତି ନିମିଷକ ପାଇଁ ଇନ୍ଦ୍ରଧନୁ
ଖାସ୍ ... ତୁମରି ସ୍ମୃତିରେ ।
ରାତି ରାତି କେତେ ରାତି
ବେହିସାବ ବିଦାୟ ନେଲେଣି ,
କେତେ ଜ୍ୟୋସ୍ନା ତୁମ ବିନା
ଏଇ ଆଖିର ଆଗରେ
ନଷ୍ଟ ହୋଇବି ଗଲେଣି ,
ତୁମ ସେଇ ମୁଁହ ... ଜାଣିଛ ନା !
କରି ପ୍ରଣୟ ଖଡ୍ଗରେ ରାଜୁତି
ଅହରହ ଏ ମନର ସ୍ପଷ୍ଟ
ଭୂଗୋଳକୁ ଥରାଇ ଦେଲେଣି ।
ତୁମ ପାଇଁ ପାଉଥିବା ଯାହା କିଛି
ଇଏ ସିଏ କହୁଛନ୍ତି କାଳେ ଯନ୍ତ୍ରଣା ,
ହେଲେ ମୁଁ ତ ଭିଜାଇ ଦେଇଛି
ବୁନ୍ଦା ବୁନ୍ଦା ତତଲା ଲହୁରେ
ହଁ ... ହଁ ... ମୋରି ଭିତରେ ,
ସତେ ଅବା ଇଏ କାଳେ
ବଞ୍ଚିବାର ବୈରାଗୀ ପ୍ରେରଣା ।
ମୋର ଇତିହାସ ମୋତେ କରେ ପ୍ରଶ୍ନ
ବୁଝିବାକୁ ଭାଷା ତୁମରି ଆଖିର ,
ସେ ଚାହାଣୀ ମନ ଭୁଲା ଭାଷା
ଅବା ଥିଲା ନିଷ୍ଠୁର କପଟ
ଆଜିବି ଅସ୍ପଷ୍ଟ ଅମାନିଶି ପରି
ଅବା ଥିଲା କି ଅସାର ।
ସେ ଭାଷାର ଶବ୍ଦ ମାନେ ସବୁ
ମରମର ଆଶା ଅନୁଭୂତି କଥା
ଠକ୍ ଠକ୍ କରି ଅନ୍ଧାରରେ ,
ଅତିଥି ସେ ଦି ଟୋପା କାଳିରେ
ଫର୍ଦ୍ଦେ ସାଦା କାଗଜ ପୃଷ୍ଠାରେ ,
କବି ନୁହେଁ ତଥାପି ବି
ଏ ହୃଦରେ ସଜାଇଲା ଭଳି
ସଜାଏ ମୁଁ ସଂଯମୀ ବକ୍ଷରେ
ଘୁରି ଘୁରି ଶବ୍ଦ ଅରଣ୍ୟରେ ।