କବିତା ଗୋ
କବିତା ଗୋ
କବିତା
କେବେ କବି ମନର ମାନସୀ
କେବେ କବୀର ମାନସ କନ୍ୟା
କେବେ ଶାନ୍ତ ସରସୀ
କେବେ ଉପତ୍ୟକାର ବନ୍ୟା ।
କବିତା
ସକାଳର ସୂର୍ଯ୍ୟ କିରଣ
ପ୍ରଭାତେ ବିଭୁ ସ୍ମରଣ
ମଧ୍ୟାହ୍ନର ପ୍ରୀତି ଭୋଜନ
ସନ୍ଧ୍ୟାରେ ଭଜନ ଜଣାଣ
ରାତିରେ ବନ୍ଧୁ ମିଳନ
ପୁଣି ପ୍ରେମର ମଧୁ ଚୁମ୍ବନ ।
କବିତା
ଢଳଢଳ ନୟନରେ ଅକୁହା ପୀରତି
ମହମହ ମହକିତ ମଧୁ ମାଳତୀ
ଧୂ ଧୂ ବୈଶାଖର ଅସହ୍ୟ ତାତି
କୋଇଲି ସହ ଆମ୍ରକୁଞ୍ଜେ ଚୋରା ଚଇତି
କବିତା ତୁମେ ପସରା ଅସରନ୍ତି ।
କବିତା
କୁଳୁକୁଳୁ ନିନାଦିତ ଝରଣା
ରଜାଘର ପାଟ ଅଗଣା
ପ୍ରେମିକାର ପ୍ରୀତି ପାଉଣା
ସ୍ତ୍ରୀ ର ସୁନ୍ଦରତା ବଖାଣୁଥିବା ଗହଣା
ନୂଆବୋହୂର ହାତେ ଲମ୍ବା ଓଢ଼ଣା
ମା'ର ପ୍ରସବ ଯନ୍ତ୍ରଣା
ଶାଶୁର ଉଲଗୁଣା
ନଣନ୍ଦ ଭାଉଜର ମନ୍ତ୍ରଣା ।
କବିତା
ପହିଲି ପ୍ରେମର ଗୋଲାପ
ମଧୁବନେ ପ୍ରେମ ଆଳାପ
ମିଳନ ନିଶ୍ଵାସର ଉତ୍ତାପ
ପ୍ରେମ ପ୍ରତାରଣାର ପ୍ରଳାପ
ସତ୍ୟନିଷ୍ଠ ପ୍ରେମର ପ୍ରତାପ ।
କବିତା
ଗାଁ ମାଟିର ଭୂରୁଭୂରୁ ବାସନା
ପ୍ରଭୁ ପାଦତଳେ ବୋଉ କାମନା
ସନ୍ତାନକୁ ନେଇ ଭାବନା
ଚିରା କାନି ତଳ ବାହାନା ।
କବିତା
ବରଷାର ରୁଣୁଝୁଣୁ ଶବଦ
ଦୂର ଗଗନର ବାଇଦ
ଶାରୁବୁଦା ତଳ ଦରଦ
ଜଡିବୁଟି ଦେଉଥିବା ବଇଦ
ନଦୀ ଗଢିଥିବା ସରହଦ ।
କବିତା
ମନରେ ଉଙ୍କି ମାରୁଥିବା ତୃଣ
ଭାଷାରେ ବର୍ଣ୍ଣିତ କଥା
ମୁହାଣ ଉତ୍ପତ୍ତିର କାରଣ
ହୃଦୟରେ ଭରି ରହିଥିବା ବ୍ୟଥା ।