STORYMIRROR

Samita Swain

Tragedy

4  

Samita Swain

Tragedy

ତୁମ ନୀରବତା

ତୁମ ନୀରବତା

1 min
611

ତୁମ ନୀରବତା ମନେ ଦିଏ ବ୍ଯଥା

ଆଖି ଦେଉଥାଏ କହି

ଓଠରେ ହସରେ ଏବେ ଆଉ କାହିଁ  

ଲକ୍ଷେ ପଦ୍ମ ଫୁଟୁ ନାହିଁ।।


ତୁମ ନୀରବତା ଅସହାୟ ଲାଗେ

ଚାହେଁ ମୁଁ ତୁମକୁ ଯେବେ

ମୁହଁକୁ ଲୁଚାଇ କାନ୍ଦିଉଠେ ମନ

ଆବିଳତା ଅନୁରାଗେ।।


ତୁମ ନୀରବତା ହୃଦୟ ଦହଇ

ଛାତିରେ ପଥର ପରି

ବାଟବଣା ହୁଏ ଦିନ ଆଲୁଅରେ

ମନ ଯାଉଥାଏ ମରି।।


ତୁମ ନୀରବତା ଅନନ୍ତ ପ୍ରତୀକ୍ଷା 

ଦିନ ଜମା ସରେ ନାହିଁ 

ସମୟ କହିବ ତୁମ ପ୍ରତିମୂର୍ତ୍ତି

ହୃଦୟେ ଆଙ୍କିଛି କାହିଁ।।


ତୁମ ନୀରବତା ଲୁହର ଦୀପାଳୀ 

ଅହରହ ଜଳୁଥାଇ

ନିଥର ଶରୀର ପୀଡା ମୋ ଭୋଗଇ

ନିଜେ ଅନ୍ଧାରରେ ରହି।।


ତୁମ ନୀରବତା କୋହର କାହାଳୀ

ନିର୍ଜନରେ ଶୁଭୁଥାଇ

ମୋ ଜୀବନ ସଂଧ୍ୟା ଆରତୀ ବେଳରେ

ବିରହ ସଙ୍ଗୀତ ଗାଇ।।


ତୁମ ନୀରବତା ପ୍ରବଞ୍ଚନା ସମ 

ନୈରାଶ୍ୟ ଭାବକୁ ନେଇ

ପତ୍ର ଝଡା ଦିଏ ମନ ଉପବନୁ 

ଶୁଷ୍କ ବୃକ୍ଷଟିଏ ହୋଇ।।


ତୁମ ନୀରବତା ପ୍ରତାରଣା ହେଲେ 

ପ୍ରତିଶ୍ରୁତି ଗଲା କାହିଁ

ଜୀବନ ଜ୍ଯାମିତି ଜଟିଳ ଏମିତି 

ବଞ୍ଚିବି ମୁଁ କାହା ପାଇଁ।।


ତୁମ ନୀରବତା ନମ୍ର ଓ ନିର୍ଭୀକ 

ସ୍ବାର୍ଥକୁ ଆହୁତି ଦେଇ

ଜଳୁଥାଉ ସଦା ନିଷ୍ପାପ ଜନଙ୍କ

ଆଶାର ଆଲୋକ ହୋଇ।।


ତୁମ ନୀରବତା ଏମିତି ହିଁ ଥାଉ

ନିତୀବାଣୀ ସମ ହୋଇ

ହଟିଯାଉ ସବୁ ହତାଶାର ମୋହ

ପୂର୍ଣ୍ଣତାର ପ୍ରାପ୍ତି ପାଇଁ। ।

***  ****  ***  ****  ***


Rate this content
Log in

Similar oriya poem from Tragedy