ତୁମ ହୃଦୟଟା ଏମିତି ପଥର
ତୁମ ହୃଦୟଟା ଏମିତି ପଥର
ଲାଗେ ନାହିଁ ଭଲ ତୁମ ବିନା ପ୍ରିୟା
ରୁଚେନି ପାଟିକୁ ଆହାର ଅନ୍ନ
ଭାବି ଭାବି ତୁମ ସ୍ନେହ ଦିବାନିଶି
ତନୁ ହୋଇଯାଏ କ୍ରମଶଃ କ୍ଷୀଣ ।
ବହଇ ଲୋତକ ଯେହ୍ନେ ଜଳଧର
ଓଠ ମାରେ ଲୁଣି ଆଖି ଶ୍ରାବଣୀ
ନ ପାରଇ ଚାହିଁ ପୂର୍ଣ୍ଣ ଚନ୍ଦ୍ରମାକୁ
ମରମକୁ କିଏ ପକାଏ ହାଣି ।
ଲାଗଇ ଅରଣ୍ୟ ପ୍ରାୟ ଗୃହାଙ୍ଗନ
କଣ୍ଟକିତ ଲାଗେ କୁସୁମ ଶେଜ
ଲାଗେ ନାହିଁ ନିଦ ବାଞ୍ଛି ସ୍ନେହ ସୁଖ
ଭାଙ୍ଗିଯାଏ ବଳ ସାହସ ଧୈର୍ଯ୍ୟ ।
ଦହି ହୁଏ ଦେହ ମନ ଓ ହୃଦୟ
ଜାଳେ ଅନ୍ତରକୁ ବିରହାନଳ
ଲଭିବାକୁ ସାଥୀ ଶୀତଳ ପରଶ
ହୋଇ ଉଠେ ମନପ୍ରାଣ ଆତୁର ।
କହିଛ ଆଗରୁ ଶୁଣିଛି ମୁଁ କାନେ
ପୁରୁଷର ମତି କଠୋର ବଜ୍ର
ଗଢା ବି ଏମିତି କେଉଁ ପଥରରେ
ଆକର୍ଷେ ହୃଦୟ ଏତେ ତୁମର ।

