ତୁମ ବିନା
ତୁମ ବିନା
ତୁମ ବିନା
ବରଷା ବି
ଭିଜେଇ ପାରେନା,
ନିଜେ କାନ୍ଦେ, ମୋତେ ବି କନ୍ଦାଏ ।
ଶ୍ରାବଣ ବି
ଛୁଇଁ ଫେରିଯାଏ,
ଆଖିରେ ତା' ଲୁହ ଅସରାଏ ।
ତୁମ ବିନା
ଜଳୁଥାଏ
ହୁତୁ ହୁତୁ ହୋଇ,
ହୃଦୟେ ମୋ' ବୈଶାଖର ନିଆଁ ।
ନିଆଁ ନୁହେଁ
ବିରହର ବହ୍ନି
ନିଜେ ଜଳେ, ଜଳାଇ ପାରେନା ।
ତୁମ ବିନା
ଫିକା ଲାଗେ
ଜହ୍ନର ଜୋଛନା,
ହଜିଯାଏ ଆକାଶ ନୀଳିମା ।
ବଉଦ ତା'
ବେସୁରା ଗୀତରେ,
ଘୂରିବୁଲେ ନିଝୁମ୍ ରାତିରେ !
ତୁମ ବିନା
ଫଗୁଣର
ରଙ୍ଗ ପଡେ ଫିକା,
ମଳୟ ମଉଳି ହୁଏ ଏକା ।
ସୁରଭି ତା'
ସରି ସରି ଯାଏ,
ସପନ ବି ହଜି ଲିଭି ଯାଏ ।
ତୁମ ବିନା
ଶେଫାଳିର
ବହଳ ବାସନା,
ଝରେ ସିନା, ମନକୁ ଛୁଏଁନା ।
ସତେ କି ଗୋ
ସୁନେଲି କିରଣ,
ତୁମ ମଧୁ ପ୍ରୀତିର ସର୍ଜନା !