ତୁମ ବିନା
ତୁମ ବିନା
ଝରଣାର ପ୍ରତ୍ୟେକଟି ବିନ୍ଦୁ ସହ
ନିଜକୁ ଯୋଡିବାକୁ ଇଚ୍ଛା ହୁଏ
ଯେତେବେଳେ ତୋ ଓଠରେ
ଯାଦୁଗରୀ ହସଟିଏ ଫୁଟିଯାଏ ।
ଅନ୍ୟମନସ୍କତା ଆଡ଼କୁ
ହାତ ବଢାଇବା ଆଗରୁ
ପୁଣି ଥରେ ଫେରିବାକୁ ହୁଏ
ତୋ ଚେହେରାର ଦୁନିଆକୁ ।
ତୁ ବାରମ୍ବାର ରୋକିବାକୁ ଚେଷ୍ଟାକରୁ
ହେଲେ ଆଖି ଦୁଇଟି ଖାଲି
ତୋତେ ଦେଖିବା ପାଇଁ
ବିକଳେ ଚାହିଁ ରହିଥାଏ ।
ଅଭିମାନ କରି ରୁସି ଯାଉ
ମୁହଁ ଫେରାଇ ନଉ ପଛକୁ
ମନେ ମନେ ଖୁବ୍ କାନ୍ଦୁ
ଯନ୍ତ୍ରଣା ସବୁକୁ ଲୁଚାଇ ଦେଇ ।
ଆଖିର ଧାର ଧାର ଲୁହକୁ
ହାତରେ ପୋଛୁ ପୋଛୁ
ମୁଁ ଧରିବାକୁ ଚାହେଁ
ତୋର ଅଶ୍ରୁ ଯୋଡ଼ା ହାତକୁ ।
ସେଇ ଲୁହ ସବୁକୁ
ସାଉଁଟି ଆଣି ଶାମୁକାରେ
ଗଢି ଦିଅନ୍ତି ତୋ ପାଇଁ
ମୁକ୍ତା ର ଘର ମୋ ପ୍ରେମରେ ।
ତୋ ଛାତିରେ ମୁଣ୍ତକୁ ଆଉଜି
କେତେ କରନ୍ତି ରାଗିବାର ଅଭିନୟ
ବାରମ୍ବାର ପଚାରନ୍ତି ତୋତେ
ମୋ ବିନା ବଞ୍ଚିପାରିବୁ କି କହ ?
କହ ପ୍ରିୟ ମୋ ବିନା ବଞ୍ଚିପାରିବୁ କି କହ ?