ତୁଳସୀ ମାଳ
ତୁଳସୀ ମାଳ
କାଳିଆ ବେକରେ ତୁଳସୀର ମାଳ
କି ସୁନ୍ଦର ଶୋଭା ପାଏ
ବିନା ତୁଳସୀରେ ନା କାଳିଆ ଓଠେ
କେବେ ହସ ଆସି ଥାଏ ।
ତୁଳସୀ ଦେଖିଲେ କାଳିଆ ହୃଦୟେ
ଆନନ୍ଦ ଲହରୀ ଖେଳେ
କେତେ ପୁଲକିତ ତନୁ ମନ ତାର
ଦେଖୁ ଥାଏ ନେତ୍ର ଡୋଳେ ।
ତୁଳସୀ ପତର ଜଟାରେ ତିଆରି
ଯେଉଁ ମାଳ ହୋଇ ଥାଏ
ଜଗନ୍ନାଥଙ୍କୁ ଯେ କେତେ ଶରଧାରେ
ଭକତ ପିନ୍ଧେଇ ଦିଏ ।
ତୁଳସୀର ପତ୍ର ନ ପଡିଲେ ଜଗା
ମଣୋହି କରନ୍ତି ନାହିଁ
ସେ ତୁଳସୀ ପାଇଁ ପବିତ୍ର ହୁଅଇ
ଏଇ ମାଟି ମାଆ ମହୀ ।
ତୁଳସୀ ଗଛରେ ସବୁ ଦେବା ଦେବୀ
ଏକତ୍ର କରନ୍ତି ବାସ
ତୁଳସୀର ମୂଳେ ମାତା ଗଙ୍ଗା ଦେବୀ
କରନ୍ତି ସଦା ନିବାସ ।
ତୁଳସୀ ପତ୍ରରେ ତେତିଶହ କୋଟି
ଦେବତା ଅଛନ୍ତି ରହି
ମୁଳରେ ତା ଗଙ୍ଗା ଚିର ସ୍ରୋତସ୍ବନୀ
ସର୍ବଦା ଥାଏ ଯେ ବହି ।
ତୁଳସୀର ଡାଳେ ବିଷ୍ଣୁ ଥାନ୍ତି ରହି
ଜଟାରେ ଶିବ ଶଙ୍କର
ପବିତ୍ରତାମୟ ଏଇତ ତୁଳସୀ
ଥାଏ ଭକତ ହସ୍ତର ।
ତୁଳସୀ ଗଛର କାଠର ଗଣ୍ଡିରେ
ତୁଳସୀ ମାଳି ତିଆରି
ସେ ତୁଳସୀ ମାଳ ହସ୍ତରେ ଧରିଣ
ଭକ୍ତ ଥାନ୍ତି ଜପ କରି ।
ଶହେ ଆଠ ଗୋଟି ତୁଳସୀର ମାଳି
ଜପ ପାଇଁ ଯେ ଉର୍ଦ୍ଦିଷ୍ଟ
ଏତେ ପବିତ୍ରତା ରାମ କୃଷ୍ଣ ନାମ
ଦୂର ହୁଏ ସବୁ କଷ୍ଟ ।
ମଲା ସମୟରେ ତୁଳସୀର ପାଣି
ମୁଖରେ ଯେବେ ଦିଅନ୍ତି
ମହା ପାତକରୁ ମୁକତି ମିଳଇ
ଏ କଥା ସର୍ବେ ଜାଣନ୍ତି ।
ତୁଳସୀର ମାଳ ଧାରଣ କରିଲେ
କେତେ ପବିତ୍ରତା ଆସେ
ପ୍ରଭୁ ଜଗନ୍ନାଥ ଯେଉଁଠି ଥାଆନ୍ତି
ତୁଳସୀ ତୁଳସୀ ବାସେ ।
ତୁଳସୀର ମାଳ ଗଳେ ରହି ଥିଲେ
ସବୁ ରିଷ୍ଟ କଟି ଯାଏ
ତୁଳସୀକୁ ଯିଏ ଭଲ ପାଏ ତାଙ୍କୁ
ଜଗା ଆପଣେଇ ନିଏ ।
ମରଣ ସମୟେ ବିଷ୍ଣୁଙ୍କର ନାମ
ଯାର ତୁଣ୍ଡେ ରହିଥାଏ
ତୁଳସୀର ଜଳ ମୁଖେ ଯାର ଥାଏ
ବୈକୁଣ୍ଠ ପ୍ରାପ୍ତି ସେ ହୁଏ ।
ହିନ୍ଦୁ ମାନଙ୍କର ପବିତ୍ରର ବୃକ୍ଷ
ଅଟଇ ଏଇ ତୁଳସୀ
ତାର ସେବା ହୃଦୟରେ କରେ ଯିଏ
ହୋଇଥାଏ ସ୍ବାର୍ଗ ବାସୀ ।
ତୁଳସୀର ସେବା କରି ନ ପାରିଲେ
ଅବମାନନା କରନି
ତୁଳସୀ ଅଟଇ ମୁକତିର ପଥ
ଏକଥା ଜମା ଭୁଲନି ।
ସକାଳେ ସନ୍ଧ୍ୟାରେ ତୁଳସୀର ପୂଜା
କରେ ଯିଏ ଭକ୍ତି ଭରେ
ତୁଳସୀର ମାଳି ଧରି ଜପେ ଯିଏ
ଭବ ସାଗରରୁ ତରେ ।