ଚାରିଧାମ
ଚାରିଧାମ
-ମହୋତ୍ସବ-
ଜନମ କାଳରେ ମହୋତ୍ସବ ମୋର
ଏକୋଇଶା ନାମେ ହେଲା
ପୁଣି ବ୍ରତଘର କିଶୋର ବୟସେ
ମହୋତ୍ସବ ହୋଇଥିଲା
ଯୁବକେ ବିବାହ ହେଲା
ମରିବା କାଳରେ ଶେଷ ମହୋତ୍ସବ
ପାଳନ ଦେଖି ନ ହେଲା।
-ନୀଳ ଶଇଳ-
ନୀଳ ସଇଳରେ ବସିଅଛି ଯିଏ
ହାତ ନାହିଁ ଗୋଡ଼ ନାହିଁ
କାନ ନାହିଁ ମୋଟେ କିନ୍ତୁ ତାଙ୍କ ପାଖେ
ସବୁକିଛି ଜଣା ଥାଇ
ଷାଠିଏ ପଉଟି ଖାଇ
ଜଗତର ସବୁ ଭଲ ଆଉ ମନ୍ଦ
ବୁଝିବାକୁ ବୁଲୁଥାଇ।
-ଚାରିଧାମ-
ବୁଲି ଯାଇଥିଲି ଚାରିଗୋଟି ଧାମ
ପୁରୀ ବୃନ୍ଦାବନ ଦ୍ବାରକା
ବଦ୍ରିକାକୁ ଯାଇ ଦେଖିଲି ନିଜକୁ
ସବୁ ତ ନିର୍ଜୀବ ଭେଳିକା
ସୌନ୍ଦର୍ଯ୍ଯକୁ ଦେଖି ଜଳକା
ମାରି ନେଲା ସିନା ସ୍ବର୍ଗଠାରୁ ଉଚ୍ଚ
କେ'ହେବ ବାପାମାଆ ପରିକା?
-ମଣିଷ-
ମଦ ନ ଖାଇଲା ଯିଏ ଏ ସଂସାରେ
ମଣିଷରେ ସେ କି' ଗଣା
ଦାଣ୍ଡରେ ହାଟରେ ଯଦି ନ ପଡି଼କି
ଘରେ ନ କରେ ବାଜଣା
ମଣିଷ ଭିତରେ ରଣା
ପୋଡି଼ଯାଉ ତାଙ୍କ ଯିଏ ନ ଖାଇକି
ହୁଏନି ସେ କାଳେ ବଣା।
