STORYMIRROR

arpita rana

Abstract Classics

4  

arpita rana

Abstract Classics

ଟ୍ରେନ

ଟ୍ରେନ

2 mins
320

ଟ୍ରେନର ଇଞ୍ଜିନ ଚିଲ୍ଲେଇଲାଣି ,

ବଗି ଥରୁଛି ମୋ ହାତ ସହ,

ସେ ମୋତେ ଝାପସା ଝାପସା ଦେଖାଯାଉଛନ୍ତି ?

ନା, ନା ଦୋଷ ତ

ଏଇ ଟଳମଳ ଗୋଟେ ଟୋପା

ଉଷୁମ ଆବେଗର ।


ତାଙ୍କ ଆଖିରେ ବି ଦୁଃଖ, ଶୋକ, ବେଦନା

ଆଜିଠୁ ସବୁ ଟାଇମ ଟେବୁଲ ଦୋହଳିବ,

ତୁଳସୀ ପାଣି ଖୋଜିବ, ଠାକୁର ଦୀପ ଖୋଜିବେ।

ଅଧେ ବେଡ଼ସିଟ ଧୂଳି ଖାଇବ

ଆଉ ରୋଷେଇ ଘର ଅନେଇ ରହିବ ଷ୍ଟୋଭ୍ ର ଉଷୁମ ଟିକକ।

ବାଲକୋନିରୁ କଫିର ମହକ ସହ

ନଥିବ ଫିସଫିସ କଥା ଓ ମୁରୁକି ହସ।

ଖରା ସେକିବା, ଜହ୍ନ ଦେଖିବା, ତାରା ଗଣିବା

ସବୁ ବନ୍ଦ ପଡ଼ିଯିବ କେତେଦିନ।

ନିଦ ବିଳମ୍ବରେ ଆସି ବିଳମ୍ବରେ ଯିବ,

ନାଇଟ୍ କ୍ୟାନ୍ଟିନ ର ଅଲଣା ତରକାରୀ

ବାଧ୍ଯ ସୁଆଦିଆ ଲାଗିବ।


ଠିକ୍ ଦିଶି ଯାଉଛି ଆସନ୍ତା କାଲି

ଗତକାଲିର ରଙ୍ଗିନ ପରଦା ଉପରେ।

ଆକାଶରୁ ସୂର୍ଯ୍ୟ ଖସୁଛନ୍ତି

ଲୁହ ପରି, ହାତରୁ ହାତ ପରି,

ଭବିଷ୍ୟତର ଦ୍ବାହି ଦେଇ ଆଜିର ଆୟୁଷ ପରି।


ଅର୍ଦ୍ଧାଙ୍ଗିନୀ ହେଇ ଅଧେ ଅଙ୍ଗକୁ ମୁରୁଛି ଦେବାକୁ ହେଉଛି

ପେଟ ପାଇଁ, ଜୀବନୋପାୟ (ଜୀବନ ଜୀବିକା )ପାଇଁ।

ମୋ ପ୍ରେମିକା ପଣକୁ ସିନ୍ଦୂରର ଉପହାର ଦେଇ

ସେ ମୋତେ ନିଜର କରିଥିଲେ ,

ହଁ ଭରିଥିଲେ ସବୁ ଇଚ୍ଛା କୁ ଅନିଚ୍ଛା ସତ୍ତ୍ବେ।


ଟ୍ରେନ ଦୌଡୁଛି ନିପଟ ମଫସଲ ରୁ ରାଜଧାନୀ ଯାଏ

ତାଙ୍କ ଗାଆଁ ରୁ ମୋ ଗାଁ ଯାଏ,

ଟ୍ରେନ ଲଙ୍ଘିଯାଉଛି ପ୍ରଦେଶର ସୀମା

ଏଇ ଭିତରେ ସୂର୍ଯ୍ୟ ପ୍ରତିଦିନ ଉଠେ ଚାଲେ ଶୋଇଯାଏ।

ଟ୍ରେନ କିନ୍ତୁ ଚାଲୁଥାଏ ନ ଥକି

ମହୁଲ ର ମହକ (ବୋଉଳର ମହକ) ଆସେନି ତା ନାକକୁ

ପଳାଶ ର ଗାଲିଚା ଦେଖି କ୍ଷଣେ ରହି ନ ଯାଏ ।

ଗାଁ ମୁଣ୍ଡ ନଳିଆରେ ଗାଧେଇ

ଦେହ ଶୁଖେଇ ବାକୁ ବସିଥିବା ସେ ପାଞ୍ଚ ବର୍ଷର ଛୁଆ

ହାତ ହଲାଏ ହେଲେ ତାକୁ ଖାତିର ନ କରି ଟ୍ରେନ ଚାଲୁଥାଏ।

ସେ କେବେ ପଥର ଚିରି ଆଗକୁ ବଢେ ତ

କେବେ ଘନ ଭଳି କେତେ ଚାଷୀଙ୍କ କ୍ଷେତର ଛାତି ଥରେଇ ଚାଲେ।

କେବେ ପାହାଡ଼ କାଟେ ତ କେବେ ଜଙ୍ଗଲ

କେବେ ବସ୍ତି କୁ ଦି ଫାଳ କରେ ତ କେବେ ମଣିଷ କୁ,

ହେଲେ ସେ ଅନବରତ ଚାଲୁଥାଏ।


ମୋତେ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚେଇ ସେ ଲେଉଟି ଯାଉଛି

ଆଉ କାହାକୁ ତା ପ୍ରିୟଜନଠୁ ଅଲଗା କରିବାକୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract