STORYMIRROR

arpita rana

Abstract Others

3  

arpita rana

Abstract Others

ଶୁଣ ହେ ପ୍ରିୟ

ଶୁଣ ହେ ପ୍ରିୟ

1 min
410

ଶୁଣ ହେ ପ୍ରିୟ

କହୁଛି ତୁମର ସଜନୀ,

ହାତ ଧରି କେବେ ଛାଡ଼ି ଦେଇଥିଲ

ଦେଇ ଯାଇଥିଲ ରଜନୀ।


ନବ ଯୌବନର ଉଠୁଥିଲା କୋହ

ଭାଙ୍ଗୁଥିଲା ବନ୍ଧ ବାଡ଼

ତନୁର ଆଧାର ଦେଇଥିଲ ମୋତେ

କୋହ ହେଉଥିଲା ଜଡ।


ଉନ୍ମାଦନା ସୀମା ପାର ହେଉଥିଲା

ବହ୍ନି ଜଳୁଥିଲା ମନେ

ପ୍ରଶମିତ କଲ ହେଲି ମୁଁ ଶୀତଳ

ପଡୁଛି ଏବେ ମୋ ମନେ।


ବିରହ ଜାଳୁଛି ବିରହ ମାରୁଛି

ସାଧୁଛି ଭାଗ୍ୟ ଦେଖ

ଝଡ଼ି ଯାଉଛି ଦେହ ମୋ କୋହେ

କେମିତି ସହିବି କୁହ।


ପ୍ରେମର ଭାବନା ମନରୁ ଜନ୍ମି

ସଞ୍ଚରି ଯାଏ ଦେହେ

ଜାଣିଛି ପ୍ରିୟ ସବୁ ମୁଁ ଜାଣିଛି

ନିରିମାଖି ମନ କହେ।


ସଂସାରେ ଜନମି ସଂସାରି ନିୟମ

ମାନିବାକୁ ହୁଏ ଯେବେ

ଫାଟେ ମୋ ପରାଣ ,ବିକଳ ମନ

କ୍ରନ୍ଦନ କରେ ତେବେ।


ମାତା ପିତା ସଖା ବନ୍ଧୁ ପରିଜନ

ଆକୁଳେ ଅଛନ୍ତି ଚାହିଁ

ତାଙ୍କ ସପନରେ ଖଞ୍ଜିବି ଜହ୍ନ

ଯୋଛନା ଦେବା ପାଇଁ।


ତୁମ ପାଇଁ କେବେ ସାଜି ପାରିବନି

ପୀରତି ର କାୟା ମୂର୍ତ୍ତି

କାମୁକ ହେଇକି ଦେଇ ପାରିବିନି

ଉଷୁମ ଶୀତଳ ପ୍ରୀତି।


ଏଥି ପାଇଁ ଏତେ ରୁଷୁଛ କାହିଁକି

ଦୁଃଖ ମୋ ହେଉଛି ମନ

ପ୍ରେମ ପାଇ ପ୍ରେମ ଦେଇ ତ ପାରିଲେ

ଦେହର କି ପ୍ରୟୋଜନ।


ତୁମର ଥିଲି ମୁଁ ତୁମର ହିଁ ଅଛି

ତୁମେ ମୋ ପ୍ରାଣ ସଙ୍ଗାତ

ମୂର୍ଚ୍ଛି ପାରିବିନି କେବେ ମୁଁ ତୁମକୁ

ମୂର୍ଚ୍ଛିବି ପଛେ ଜଗତ।


ରାଧା ହେଇ ରାସ ଦେଇ ପାରିଲିନି

ତୁମେ କିନ୍ତୁ ରାଧାମାଧବ

ମୀରା କି ତୁଳସୀ ହେଇ ପୂଜୁଥିବି

ତୁମ ପାଦେ କୋଟି ବିଭବ।


ଭରା ଶ୍ରାବଣ ରେ ହୃଦୟ ଜଳୁଛି

ପୋଡ଼ି ଯାଉଛି ମୋ ଅଙ୍ଗ

ଭରି ଦିଅ ଆସି ହୃଦୟ କନ୍ଦରେ

ଇନ୍ଦ୍ରଧନୁ ସପ୍ତରଙ୍ଗ ।


ଭିଜିବି ଆଜି ମୁଁ ବରଷା ବିନ୍ଦୁରେ

ପାଗଳ ମୟୁରୀ ସାଜି

ସତେ ଗୋ ଯେପରି ଜୁଆର ଉଠିବ

ମନର ନଈରେ ଆଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract