STORYMIRROR

arpita rana

Others

4  

arpita rana

Others

ଅସତୀ କାହିଁକି

ଅସତୀ କାହିଁକି

1 min
401

ବାପଘର ଅଗଣାରୁ

ଶାଶୁଘର ଏରୁଣ୍ଡି ଯାଏ

ସବୁ ଅଣ୍ଡାଳି ଦେଲି,

ସାଉଁଟି ଆଣିଲି ସବୁ ଭଲ ସବୁ ମନ୍ଦ,

ଗୋଟି ଗୋଟି ସବୁ ତରାଜୁରେ ଢାଳି ଦେଲି।

କାନି ପଣତରେ ବାନ୍ଧି ଆଣିଥିବା ସରାଗ

ସବୁର ଓଜନ ଭାରି ହେଉଥିଲା,

ତଥାପି ମଥାରେ ମୋ କଳଙ୍କ ବୋଳା ହେଉଥିଲା।

ମୁଁ ହେଲି ଅସତୀ!

ରକ୍ତ ସବୁ ନିଗାଡ଼ି ସ୍ନେହ ଦେଲି ପ୍ରେମ ଦେଲି,

ହେଲେ ସବୁ ନିରର୍ଥକ।

ଯୋନି ଦେହୁ ନିଃସୃତ ହେଲାନି କେଇ ଧାର ଲହୁ ବୋଲି

ହୃଦୟରୁ ଢ଼ାଲିବାକୁ ପଡ଼ିଲା ଲୁହ ଯାକ।

ସୂକ୍ଷ୍ମ ମୋ ଆତ୍ମା ଠୁ ଦେହର କମ୍ପନ ଯାଏ

ତ ସବୁଠି ସିଏ,

ତାଙ୍କ ସ୍ପର୍ଶର ପ୍ରତ୍ୟେକ ଆଲୋଡ଼ନ

ମୋ ସରମକୁ ଅପସାରି ଦିଏ।

ହେଲେ ସେଇଟା କାହିଁକି ଯଥେଷ୍ଟ ନୁହଁ!

ସତୀତ୍ଵର ସାକ୍ଷୀ ଦେବା ପାଇଁ

ଲହୁ ହିଁ କାହିଁକି ଦରକାର

ଲୁହ କ'ଣ ଯଥେଷ୍ଟ ନୁହଁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍