ଟିକିଏ ଆଲୋକ
ଟିକିଏ ଆଲୋକ
ଅମା ଅନ୍ଧାରରେ ଡୁବିଛି ଏହି ଦୁନିଆ
ବ୍ୟାକୁଳତା ଆଜି ଜଗିଛି ସଭିଙ୍କ ମନରେ,
ଖୋଜନ୍ତି ସବୁ ଏବେ ମୁକ୍ତିର ମାର୍ଗ
ମୁକୁଳିବାକୁ ଏହି ଯାତନାରୁ ଟିକିଏ ଆଲୋକରେ|
ସଭିଏଁ ଧାଆନ୍ତି ସ୍ପଷ୍ଟ ଦିବାଲୋକରେ ସତ
ଭିନ୍ନ ଭିନ୍ନ ତାଙ୍କ ଲକ୍ଷ୍ୟ ପଥ,
ସୂର୍ଯ୍ୟର ରଶ୍ମି ହେଲେ ବି ପ୍ରଖର
ମିଳେନି ସେହି ଟିକିଏ ଆଲୋକ ସତ |
ଯେବେ ଥକି ଯାଏ ବଳିଷ୍ଠ ବପୁ
ଅସ୍ତଗାମୀ ସୂର୍ଯ୍ୟ ସୂଚନା ଦିଅଇ ରାତ୍ରିର,
ବସି ବସି ମନ ରାତ୍ରିର ଅନ୍ଧକାରେ
ଆଶାରେ ଅପେକ୍ଷା କରେ ଟିକିଏ ଆଲୋକର |
ଦିବସର ସେହି ରୌଦ୍ରର ଭୀଷଣ ପ୍ରକୋପ
ବଢାଏ ଏହି ଦୁନିଆର ଅମା ଅନ୍ଧାରକୁ,
ସଂଧ୍ୟାର ଆଗମନ ସିଂଚଇ ଶୀତଳ ନିର
ପ୍ରେରିତ କରେ ଟିକିଏ ଆଲୋକ ଖୋଜିବାକୁ |
ସେହି ଆଶା ଆଉ ପ୍ରେରଣା କହେ
ଧର୍ମ ଆଉ ବିଶ୍ୱାସର ଲାଠି ଧରିବାକୁ,
ବାଟ କଢାଇବ ସିଏ ଅମା ଅନ୍ଧାରରୁ
ସହାୟ ହେବ ଟିକିଏ ଆଲୋକ ପାଇବାକୁ |