ତଥାପି ମୋ ଗାଁ ହସୁଛି
ତଥାପି ମୋ ଗାଁ ହସୁଛି
ମୋ ଗାଁର ବିଲ କ୍ଷେତ ତୋଟା ମାଳ
କି ସୁନ୍ଦର ତାର ଛବି
ଖରା ନ ଆସୁଣୁ କାଉ ର ଡାକରା
ନିଦ ଯାଉଥିଲା ଭାଙ୍ଗି ।
କାଉ ଆଜି କାହିଁ ଦେଖା ଯାଉ ନାହିଁ
ତୋଟା ମାଳ କାହିଁ ଅଛି
ଆମ୍ବ ତୋଟା ଛାଇ ମିଳୁନାହିଁ ସିନା
ତଥାପି ମୋ ଗାଁ ହସୁଛି ।
ମୋ ଦାଣ୍ଡରେ ନାହିଁ ପିଲାଙ୍କର ଭିଡ଼
ନାହିଁ ତ ଖେଳର ଭିଡ଼
ଝିପି ଝିପି ବର୍ଷା ଖରା ପଡ଼ୁ ଅଛି
ଇନ୍ଦ୍ରଧନୁ ଅନ୍ୟ ମୋଡ଼ |
ବରଷା ବରଷେ ପାଣି ଯାଏ ଭାସି
ମାଟିର ବାସ୍ନା ହଜିଛି
କଂକ୍ରିଟ୍ ରାସ୍ତାରୁ ଉତ୍ତାପ ବାହାରେ
ତଥାପି ମୋ ଗାଁ ହସୁଛି ।
ଗାଁ ମୁଣ୍ତେ ସେଇ ଭାଗବତ ଟୁଙ୍କି
ଭାଗବତ ସାର କଥା
ସଂସ୍କାର ସେତୁ ର ନିରିମାଣ କଥା
ମହୋତ୍ସବର ବାରତା ।
ଭାଗବତ ଟୁଙ୍ଗୀ ସତ୍ତା ହରାଇଛି
ସଂପର୍କ ବାଟ ଭୁଲିଛି
ପରିବାର ଆଜି ଭାଙ୍ଗି ଯାଇଅଛି
ତଥାପି ମୋ ଗାଁ ହସୁଛି ।
ଗାଁ ପୋଖରୀରେ ଦିଶୁ ନାହିଁ କାହିଁ
କଇଁ ଫୁଲର ପସରା
ପୋଖରୀ ତୁଠରେ ଭିଡ଼ ନାହିଁ ଆଜି
ପୋଖରୀ ଆଜି ଅଲୋଡ଼ା ।
ଶାଗ ର ଗହଳି ବାରିପଟେ ନାହିଁ
ଚ଼ାଳ ଘର କାହିଁ ଅଛି
ଖରା ବେଳ ଟାରେ ଡହଳ ବିକଳ
ତଥାପି ମୋ ଗାଆଁ ହସୁଛି ।
ମନ୍ଦିର ବେଢ଼ା ରେ ଦୀପର ସମ୍ଭାର
ଦେଖିବାକୁ ତ ମିଳୁନି
ଖଞ୍ଜଣୀ ଭଜନ ଧୂପ ଗନ୍ଧେ ମନ
ଆନ୍ଦୋଳିତ ଯେ ହେଉନି ।
ମନ୍ଦିର ବେଢାର ଚାରିପାଖେ ପରା
ବୋତଲର ଭିଡ଼ ଅଛି
ମନ୍ଦିରେ ଶୁଭୁନି ଘଣ୍ଟ ଘଣ୍ଟା ସିନା
ତଥାପି ମୋ ଗାଁ ହସୁଛି ।
ଚ଼ଷା ଭାଇ କନ୍ଧେ ହଳ ଓ ଲଙ୍ଗଳ
ଦେଖିବାକୁ ମିଳୁନାହିଁ
ଶଗଡ଼ ରେ ଖତ ଯାଉନାହିଁ କାହିଁ
ସାରେ ପଇସା ଉଡ଼ଇ ।
ଶିରୀ ହିଜିଲାଣି ସହରୀ ଭାବଟା
ଗାଆଁକୁ ଯେ ଘେରି ଅଛି
ମନୋଭାବ ଆଜି ମୋବାଇଲ ପାଶେ
ତଥାପି ମୋ ଗାଁ ହସୁଛି ।
ଡେଙ୍ଗା ତାଳଗଛ ମାଟିଲିପା କାନ୍ଥ
ସକାଳ ଗୋବର ପାଣି
ସବୁକଥା ସିନା ଚୁଲିକୁ ଗଲାଣି
ମଣିଷ ଆଗେଇଲେଣି |
ସକାଳ ଏବେ ତ କିଏ ଦେଖୁନାହିଁ
ସକାଳ ସୁରୂଜ ଅଛି
ରୋଗର କାରଣ ଅମଳ ହେଉଛି
ତଥାପି ମୋ ଗାଁ ହସୁଛି ।
ଭାବ ହଜିଅଛି ଭଙ୍ଗି ଯେ ମାତିଛି
କିଏ ନ ଜାଣେ କା କଥା
ନ ଖାଇଥିଲେ ବି ପଡ଼ିଶା ଘର ବି
ପାଉନାହିଁ ଆଜି ପତ୍ତା ।
ସହରୀ ସଭ୍ୟତା ଗାଁ ରେ ମାତିଛି
ଗାଁ ସତ୍ତା ହରାଇଛି
ସଂପର୍କ ଦିହୁଡି ଜଳୁନାହିଁ ସିନା
ତଥାପି ମୋ ଗାଁ ହସୁଛି ।
ହରାଇଛି ସିନା ଅନେକ ମୋ ଗାଁ
ତଥାପି ସୁନ୍ଦର ଦିଶୁଛି
ମୋ ପାଇଁ ମୋ ଗାଆଁ ସରଗ ଠୁ ବଡ଼
ତାକୁ କିଏ ବା ଭୁଲିଛି !
ହଜିଲା ଅତୀତ ମନେ କେତେ ଖେଦ
ମନେ ବ୍ୟଥା ଭରୁ ଅଛି
ହୋମ ଧୂଆଁ ସିନା ଗାଁ ମଣ୍ଡୁନାହିଁ
ତଥାପି ମୋ ଗାଁ ହସୁଛି ।
ଗାଁ ହଜିଗଲେ ଦୁନିଆ ହଜିବ
ସହର ବି ରହିବନି
ଗାଁ ର ସଂସ୍କୃତି ପରମ୍ପରା ଫେରୁ
ଦୁଃଖ କିଛି ରହିବନି ।
ଉଡ଼ିଛି କର୍ପୁର କନା ପଡ଼ିଅଛି
ଗାଁ ଏବେ ଗାଁ ଅଛି
ହଜିଲା ମହକ ଖୋଜୁଅଛି ଆଜି
ବ୍ୟଥା ଭରା ହସ ହସୁଛି ।
