ତୃତୀୟ ଗାଲ
ତୃତୀୟ ଗାଲ
ବିଳମ୍ବିତ ରାତ୍ରିରେ ଦିନେ ଫେରୁଥାଏ ଚାଲି ଚାଲି
ଅନ୍ଧାରୁଆ ଗଳିଟେ ଭିତରେ,
ଭୟ ଓ ଆଶଙ୍କା ଭିତରେ ଶୀଘ୍ର ଘରେ ପହଂଚିବି ବୋଲି
ଚାଲୁଥାଏ ଅତ୍ୟନ୍ତ ବେଗରେ ।
ଛାଇ ଛାଇ ଆଲୁଅରେ ହଠାତ ସତେ ପହଡାଟେ
କାହୁଁ ଆସି ଓଗାଳିଲା ବାଟ,
ବିଶ୍ୱାସ ହେବନି ଜମା ଯିଏ ଥରେ ନ ଦେଖିବ
ବିରାଟ ଶରୀର ଆଉ ଥାନ୍ତଲା ପେଟ ।
ଟେରିକଟ ନିଶକୁ ତା ଫୁଲେଇ ଫୁଲେଇ କହେ
ତୋ ପାଖରେ ଯାହା ଅଛି କାଢ଼,
ନ ହେଲେ ମୁଁ ପୋତି ଦେବି ଏଇକ୍ଷଣି ଏ ରାସ୍ତାରେ
ତୋତେ ଏବେ ଖୋଲିଦେଇ ଗାଡ ।
ଭୟମିଶା ହସ ଟିକେ ମୁଖରେ ଫୁଟାଇ ଥରି
କହିଲିରେ ପହିଲିବାନ ଭାଇ,
ଏଠି କଣ କରୁଅଛୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାକୁ
ଗଲେ ନିଶ୍ଚେ ଜିତିବୁଟି ତୁହି ।
ଗାନ୍ଧୀ ଜୟନ୍ତୀ ଟାରେ ହିଂସା ତ୍ୟାଗ କର
ଏଠି ଆଉ ନକର ଆଖଡା,
ଅହିଂସା ର ମନ୍ତ୍ର ପରା ଫୁଙ୍କି ଦେଇଥିଲେ
ମାନବର କାନେ ବାପୁ ବୁଢା ।
ଆଉ କିଛି କହି ତାକୁ ବୁଝେଇବା ବେଳକୁ
ଗାଲେ ମୋ ବାଜିଲା ନିର୍ଘାତ ଚାପୁଡ଼ା,
ବୁଲି ବୁଲି ରାସ୍ତାକଡ ବାଲି ଗଦା ପରେ
ପଡ଼ିଗଲି ଭୀଷଣ କଚଡ଼ା ।
ଗାନ୍ଧୀ ଆଦର୍ଶ ଭାବେ ଅନୁପ୍ରାଣିତ ମୁଁ
ତାଙ୍କ କଥା ଯେବେ ଆସିଲା ମନକୁ,
ଚଟ କରି ବୁଲି ପଡି ସେ ରାକ୍ଷସ ଆଗରେ
ତା ଆଗରେ ଦେଖାଇଲି ଆର ଗାଲଟିକୁ ।
ଅର୍ଥଭରା ହସଟିଏ ତା ଓଠରେ ଦିଶିଲା
ଯାହା ହେଉ ମିଳିଲା ଉଦ୍ଧାର,
ମହାତ୍ମା ଗାନ୍ଧୀଙ୍କର ମହାନ ଏ ପରୀକ୍ଷିତ ବାଣୀ
କେବେ କଣ ହେବ କି ବେକାର ।
ଓଃ! ଠୋ କରି ବାଜିଗଲା ପୁଣି ସିଝିଗଲା ଗାଲ
ରକ୍ତ ସବୁ ଥଣ୍ଡା ପଡିଗଲା,
କିଛି ଅନୁମାନ କରିବା ଆଗରୁ ଅଟ୍ଟହାସ୍ୟ କରି
ଭିଡି ଆସି ମୋ ବେକକୁ ଧଇଲା।
ଗାନ୍ଧୀର ତୁ ଶିଷ୍ୟ ହେଲେ ମୁଁ ନାଥୁରାମ ବଂଶଜ
ଚିହ୍ନି ତୁ ପାରିନୁ କି ମୋତେ,
ଦୁଇ ଗାଲ ସରିଗଲା କିଛି ତ ଦେଲୁ ନାହିଁ
ତୃତୀୟ ଗାଲ ତୋ ଦେଖା
ଆଉ ଗୋଟେ ଦେଇ ଏବେ ଛାଡ଼ିଦେବି ତୋତେ।
