ତୋତେ ଛୁଇଁବାକୁ ମନ
ତୋତେ ଛୁଇଁବାକୁ ମନ
ମନ ଆଇନାରେ ଦେଖେ ମୁଁ ରେ ଧନ
ନିତି ତୋର ପ୍ରତିଛବି
ଧରିବାକୁ ତୋତେ ଚାହିଁଲେ ମୁଁ ଯେତେ
ସେତେ ତୁ ଯାଉ ଲିଭି ।
ବାଦଲ ଫାଙ୍କରୁ ଲୁଚିକରି ଯେବେ
ଜହ୍ନ ଉଙ୍କିମାରି ହସେ
ସେ ହସ ଭିତରେ ତୋ ଚାନ୍ଦ ମୁହଁଟା
ମୋତେ ଜଳ ଜଳ ହୋଇ ଦିଶେ ।
ରାତି ଅନ୍ଧାରରେ ସପନର ଢେଉ
ଯେବେ ମାଡି ମାଡି ଆସେ
ଅଜଣା ଲୋକଙ୍କ ଗହଳିରେ ଧନ
ତୋ ମୁହଁ ମୋତେ ଦିଶେ ।
ଔଷଧ ଖାଇ ମୁଁ ଶୋଇଯାଏ ପୁଣି
ଦେଖିବାକୁ ସେ ସପନ
ସତରେ ନ ହେଉ ସପନରେ ପଛେ
ତୋତେ ଛୁଇଁବାକୁ ମୋର ମନ ।
ରାତି ସରି ଯେବେ ସକାଳଟା ଆସେ
କଳ୍ପନାରେ ତୋତେ ଖୋଜେ
ତୋର ଯେତେ ସ୍ମୃତି ଏକତ୍ରିତ କରି
ତା ଭିତରେ ମୁଁ ହଜେ ।
