ତୋ ପ୍ରତିକ୍ଷାରେ
ତୋ ପ୍ରତିକ୍ଷାରେ
ଆୟୁଷଟା ମୋର ତରଳି ଗଲାଣି
ରହି ତୋର ପ୍ରତୀକ୍ଷାରେ
ଜାଣିଛି ତୁ କେବେ ଫେରିବୁନି ଆଉ
ତଥାପି କାହିଁକି ଏ ହୃଦୟ ତୋତେ ଝୁରେ ।
ସୁଖ ଦୁଃଖ ଆଜି କାଲି ମୋପାଇଁ ଅଜ୍ଞାତ
ତୋର ଉପସ୍ଥିତି ବିନା
ହୃଦୟେ ଲଦିଛି ପଥରର ବୋଝ
କାନ୍ଦିବା ମୋ ପାଇଁ ମନା ।
ଯୁଆଡେ ଚାହିଁଲେ ଲାଗେ ଖାଲି ଖାଲି
ବଙ୍କା ଢ଼ଙ୍କା ଖାଲ ଖମା
ସବୁକିଛି ଅଛି ମୋ ଆଖି ସାମ୍ନାରେ
ହେଲେ କୋଉଥିରେ ଏ ମନ ବୁଝେ ନାହିଁ ଜମା ।
ତୁ'ସଜାଉ ଥିଲୁ ମୋ ପାଦତଳେ
ମଣି ମୁକ୍ତାର ଗାଲିଚା
ହେଲେ ତୁ'ଗଲାପରେ ସବୁ ରଙ୍ଗହୀନ
ଲାଗେ ମୋତେ ଫିକା ଫିକା ।
ବେଳେ ବେଳେ ହୃଦୟ ଥରାଇ
ବହିଯାଏ ଅଶୃର ଅସରା
ଜୀବନର ମର୍ମଥରା ମୁହୂର୍ତ୍ତ ମାନଙ୍କ ଅସ୍ପଷ୍ଟ ଆତ୍ମଲିପି
ଜଳ ଜଳ ହୋଇ ଭାସି ଚାଲେ
ମୋ ଆଖି ପରଦାରେ ।
କ୍ଷଣିକ ପାଇଁ ହେଲେ ବି
ମୁଁ ହୋଇଯାଏ ଆତ୍ମହରା
ଅତୀତର ଅଭୁଲା ସ୍ମୃତିରେ ହଜୁ ହଜୁ
ଧାରେ ହସ ଭରିଯାଏ ମୋ ଓଠ ପାଖୁଡାରେ ।
ସମୟଟା ସରିଯାଏ ଏକ ନିର୍ଦିଷ୍ଟ ବିନ୍ଦୁରେ
ସଙ୍କୁଚିତ ହୋଇଯାଏ ସମ୍ପର୍କ ଆମର
ଅସହାୟ ଭାବେ ଯେତେ ସାଉଁଟିଲେ ବି
'ତୁ'ଲୁଚିଯାଉ କେଉଁ ଅଦୃଶ୍ୟ ରେ
ମୁଁ କିନ୍ତୁ ନିର୍ବିକାର ଭାବେ ସେମିତି
ଛିଡ଼ା ହୋଇଥାଏ 'ତୋ'ପ୍ରତୀକ୍ଷାରେ ।