ତମେ
ତମେ
ହଜାରେ ସ୍ବପ୍ନର ନାୟିକା ତମେ ଗୋ
ମୋ ମନର ଚୋରାବାଲି
ମରୁରେ ଉଦ୍ୟାନ ନିଦାଘେ ଚନ୍ଦନ
ରୂପ ତମ ମଖମଲି ।।
ଲକ୍ଷେ ପଦ୍ମ ଫୁଟେ ଚାଲିରେ ତମର
ହସରୁ ଝରେ ପୁଲକ
ଆଖିରେ ତମର ଆଖିଏ ସପନ
ଭାଷାରେ ଚମ୍ପା ମହକ ।।
ମନ୍ଦାକିନୀ ବହେ ମନରେ ତମର
କସ୍ତୁରୀ କସ୍ତୁରୀ ବାସ
ହାତ ପାପୁଲିରେ ଜହ୍ନ ଖେଳେ ତମ
ପ୍ରୀତିଝରା ମଧୁମାସ ।।
ଝରା ଶ୍ରାବଣର ଟୋପା ଟୋପା ବିନ୍ଦୁ
ଫଗୁଣର ତମେ ଫଗୁ
ମୁଗ୍ଧ ମୂର୍ଚ୍ଛନାର ସ୍ନିଗ୍ଧ ଶିହରଣ
ତମେ କଳକଳ ଫଲ୍ଗୁ ।।
ମେଘ ମେଦୁରିତ ନୀଳାଭ ଆକାଶେ
ଚମକ ଚପଳା ତମେ
ପ୍ରୀତିସୁରେ ବନ୍ଧା ତମେ ପ୍ରୀତିଛନ୍ଦା
ରାଗର ରାଗିଣୀ ତମେ ।।
ଝରା ଶେଫାଳୀର ହସରେ ଦେଖେ ମୁଁ
ତମ ଗହମ ରଙ୍ଗର ମୁହଁ
କୋକିଳର କଣ୍ଠେ ଶୁଣେ ତମ ସୁର
ମାଧୁର୍ଯ୍ୟରେ ମହ ମହ ।।
ପ୍ରାଚୀ ଚକ୍ରବାଳେ ତମେ ଜ୍ୟୋତିରେଖା
କେବେ ଛାଇ କେବେ ଖରା
ତମରି ସ୍ପର୍ଶରେ ଝର ଝର ଝରେ
ପାର୍ବଣର ମୋତି ହୀରା ।।
ନୀଳ ନୀଳ ତମ ନୀଳ ଆକର୍ଷଣ
ଗୋଲାପୀ ଗୋଲାପୀ ସ୍ମୃତି
ତମେ ମୋ ସପନ ତମେ ମୋ ଜୀବନ
କେବେ ଦିନ କେବେ ରାତି ।।
ମୋ ଆଶାର ଆକାଶେ ତମେ ଇନ୍ଦ୍ରଧନୁ
ସାତ ରଂଗେ ଝଲମଲ
ତମ ଆବର୍ତ୍ତମାନେ ଅଦିନିଆ ଝଡ
ଭାଙ୍ଗେ ମୋ ସ୍ବପ୍ନ ମହଲ ।।
ମୋ ଶୂନ୍ୟ ମନ୍ଦିରେ ତମେ ମୁଖଶାଳା
ସାଥୀ ଯୁଗ ଯୁଗ ପାଇଁ
ତମ ସିକ୍ତ ସ୍ପର୍ଶେ ମୋ ଶୁଷ୍କ ହୃଦୟେ
ଫୁଟେ ସିନା ନୀଳକଇଁ ।।

