ତମେ ଠକି ଦେଲ
ତମେ ଠକି ଦେଲ
ମୁଁ ତ କହିନଥିଲି
ମୋର ଅନୁପସ୍ଥିତିରେ,
ମୋର ସଦୃଶ କୁଶପୁତ୍ତଳିକାକୁ
ସିନ୍ଦୁର ଦେବାପାଇଁ
ମଥାରେ ବିନ୍ଦି ବଦଳରେ
ଏକୁଟିଆ ଉଜାଗର ହୋଇ ତାରା ଗଣିବ
ସମସ୍ତେ ଶୋଇଗଲା ପରେ ।
ଜହ୍ନ ସାଥେ କଥାହେବ ନିରୋଳାରେ
ଚ଼ାନ୍ଦିନି ରାତିରେ ,
ଚ଼ାହିଁ ରହିବ ମୋର ଛାଇକୁ ତମେ
ଅପଲକ ନୟନରେ।
ମୋ ମଥାର ଟିକା କୁ ଜହ୍ନ ସାଥେ ତଉଲିବ
ତମ ମନ ନିକିତିରେ
ସାଉଁଟିଆଣି ସବୁ କୃତ୍ରିମ ଭରା ହସ
ସଜେଇବ ମୋରି ଓଠରେ ।
ଶତ ସୁବର୍ଣ୍ଣ ଆଭୂଷଣ ଘେନି ସଜେଇବ
ମୋର ଅଙ୍ଗ ଶୈଷ୍ଠବରେ
ଆଉ ଲୁଚ଼େଇବ ମୋର ଯୌବନର ଦୀପ୍ତିକୁ
ଦାମି ପାଟଶାଢ଼ୀରେ ।
ସମ୍ପତ୍ତିର ଅହମିକା ଭରିଦେବ କେବେ
ମୋ ପ୍ରତିଟି ବାକ୍ୟରେ
ଜଳ ଠାରୁ ମଧ୍ୟ ତରଳ କରିଦେବ
ପ୍ରେମ ନିର୍ଝରିଣିକୁ ହୃଦୟରେ ।
ସମସ୍ତଙ୍କ ଠାରୁ ଅଲଗା କରି ଗଢ଼ିଦେବ
ସୁନ୍ଦର ସୁଦୂର ପ୍ରସାରୀ ପ୍ରାସାଦ ଟିଏ
କଳ୍ପନା ମୂଲକରେ ।
ମୁଁ ତ ମାଗିଥିଲି କିଛି ସମୟ
ରହିବା ପାଇଁ ଏକାନ୍ତ ବାସରେ
ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗୀନ କରିବା
ସବୁ ଅଙ୍ଗ ବସି ସମୁଦ୍ର କୂଳରେ ।
ଯେଉଁଠି ଅମୃତ ମଣୋହି ପରସା ହେଉଥିବ
ପ୍ରତିଟି ମୁହୂର୍ତ୍ତରେ
ପାନ କରୁଥିବେ ତାହା ପ୍ରତ୍ୟେକ ବେହିସାବ
ପ୍ରତ୍ୟହ ବିନା ବଇନାରେ ।
ଆପାଦମସ୍ତକରେ ମୃଦୁ କମ୍ପନ ହେବ
ତମ ସ୍ପନ୍ଦନର ବଂଶୀ ସ୍ବରେ
ଆମ ପ୍ରୀତିରେ ମହକ ଭରିଯିବ ମିଳନାନ୍ତେ
ଯାବଜ୍ଜିବନ ପଞ୍ଚ ତତ୍ତ୍ଵରେ
ଯେଉଁଠି ସମୁଦ୍ରର ଗର୍ଜନ ଫିକା ପଡିଯିବ
ଆମ ନିଶ୍ୱାସ ପ୍ରଶ୍ୱାସ ର ଶବ୍ଦରେ ।