ତମେ ଭାରି ଜଣେ
ତମେ ଭାରି ଜଣେ
"ତମେ ଭାରି ଜଣେ !"
ଏତିକି କହିଲା ବେଳେ
ତୁମେ ଯେଉଁ ମାତ୍ରାରେ
ଓ ଯେପରି ଭାବେ
ହାତ ପାପୁଲିର ଶକ୍ତି
ମୋ ଛାତି ଉପରେ ପ୍ରୟୋଗ କର
ସେ ସମୟରେ ମତେ ପେଲିଦିଅ କି
ମାରିବାକୁ ଚେଷ୍ଟା କର
କହିବାଟା କଷ୍ଟକର ।
ସେତେବେଳେ ତୁମ ଭିତରେ
ଘନେଇ ଆସିଥିବା ଅସ୍ବସ୍ତିବୋଧ
ହିଂସ୍ରତାହୀନ ଡ଼ଲଫିନଟିଏ ହୋଇ
ମୋ ଡଙ୍ଗା କଡରେ ଡେଇଁ ଘଷି ହୋଇ
ଅନତି ଦୂରରେ ଦୃଷ୍ଟି ଆକର୍ଷଣ କରିବାକୁ
ଚେଷ୍ଟା କରୁ ଥାଆନ୍ତି ଯାହା
ତୁମ ନତ ଗ୍ରୀବା ଅପଲକ ଦୃଷ୍ଟି
ଏତେ ସହଜରେ ଜଣାନ୍ତିନି
ସତରେ ତୁମେ କଣ ଚାହଁ
ତୁମେ ଆରୋପ ଲଗାଉ ଥାଅ
କି ଆଗକୁ ଏପରି ଭୁଲର
ପୁନରାବୃତ୍ତି ନ କରିବାକୁ
କେବଳ ସାବଧାନ କରୁ ଥାଅ ମତେ
ଯେତେବେଳେ "ତୁମେ ଭାରି ଜଣେ !" ବୋଲି କୁହ
କେମିତି ବଦଳି ଯାଏ
ତୁମ ମୁହଁର ଚିତ୍ରାଙ୍କନ
ଭୃକୁଞ୍ଚନ ଦ୍ୱାରା ପ୍ରେରିତ
ହୁଅନ୍ତି ମୁହଁର ଅନ୍ୟ ସୂକ୍ଷ୍ମ ରେଖା
ପରସ୍ପର ସହ ଖାପ ଖାଉ ନ ଥିବା
ନାକ ଦୁଇକଡର ଅସମାନ
ବକ୍ର ଗାର ଦ୍ବୟ
ସରଳ ଗାଣିତିକ ବନ୍ଧନୀରେ
ଆବଦ୍ଧ କରି ଦେଇଥାନ୍ତି ନାକଟିକୁ
ସମସ୍ତେ ମିଶି ମତେ କୁହନ୍ତି
ତୁମ ଅସ୍ୱସ୍ତିର କାରଣ
କୌଣସି ବାହାର ଶତ୍ରୁ ନୁହେଁ
କେବଳ ତୁମ ପାଖରେ
ରହିଥିବା ଏହି ମଣିଷଟି
ଯିଏ ମୁଁ ନିଜେ।
କିଏ ଜାଣେ
କେଉଁ କେଉଁ ଅଦୃଶ୍ୟ ବିଶେଷଣ ସବୁ
ଭର୍ତ୍ତି ହୋଇଛନ୍ତି
ସେହି 'ଭାରି' ଶବ୍ଦଟି ଭିତରେ
ତୁମ ଆଉ ମୋ ଭିତରେ
ପରସ୍ପରକୁ ନିତ୍ୟ ସମ୍ମୁଖୀନ ହେଉଥିବା
ଦୁହିଁଙ୍କ ମନ କାନ୍ଥରେ
ଟାଙ୍ଗି ଦିଅ ଏ ନୋଟିସ ।
ନଜରବନ୍ଦିରେ ନିକ୍ଷିପ୍ତ କରିଦିଅ
ନୀତିଭ୍ରଷ୍ଟ ରାମକୁ
ଆଉ ଟାଣିଦିଅ
ବିପରୀତଧର୍ମୀ ଅଦ୍ଭୁତ ଲକ୍ଷ୍ମଣରେଖା
ଯାହାକୁ ଡେଇଁ ବାହାରକୁ ଯିବା
ଏ ରାମକୁ ଏକଦମ ମନା
ଏତିକି ସମ୍ବାଦ ଘଟୁଥାଏ
କେବଳ ତମ ଆଉ ମୋ ଭିତରେ
ଅଧିକାର ଆଉ ଅଭିମାନର
ଛାମୁଡ଼ିଆ ତଳେ
ସେତିକି କଥା କହିବାକୁ
ସାହସ ଆପେ ଆପେ ଜନ୍ମ ନିଏ
ତୁମେ ଯାହା ଯାହା କହି ଦିଅ
ଆଉ କିଏ କହିଥିଲେ
ତୁମେ ତାକୁ କଞ୍ଚା ଝୁଣି ଖାଇ ଯିବନି !
ଗମ୍ଭୀର ହୋଇ କୁହ
ନିହାତି ଏକାନ୍ତରେ ଗୋଟିଏ ଚେତାବନୀ
ଯେମିତି ଜାଣିଶୁଣି ତୁମ ଇଚ୍ଛା ବିରୁଦ୍ଧରେ
କରି ଯାଇଛି କିଛି ଅପରାଧ
ଖସେଇ ଦେଇଛି ତୁମକୁ
କାହା ନଜରରେ
ତୁମେ ପ୍ରତିଷ୍ଠାର କେନ୍ଦ୍ର ସତ
କିନ୍ତୁ ପରିଧି ଅନ୍ୟ ମାନେ
ସେହି ପରିଧି ଯିଏ ଚିଡାଇ କହନ୍ତି
କେନ୍ଦ୍ରର କି ଅସ୍ତିତ୍ୱ ଥାଏ
ସେ ତ ଏକ କାଳ୍ପନିକ ବିନ୍ଦୁ ମାତ୍ର
ଜାଣିଛ ତୁମେ ସବୁ ପଟରୁ
ସୁରକ୍ଷିତ କରିବାକୁ ଚାହଁ ନିଜକୁ
କିନ୍ତୁ ତାହା କରିବାକୁ ଦିଏ
କେଉଁଠି ମୁଁ ?
ସୁରକ୍ଷା ବୃତ୍ତ ଆଙ୍କିଲା ବେଳେ
କିଛି ଭୁଲ ଅନ୍ତର୍ନିହିତ ରଖିଯାଇଥାଏ ଯେମିତି
କିଛି ଶୁଭ ପରିଣତି ପୂର୍ବରୁ
ସବୁ ଓଲଟା ପଲଟା ହୋଇଯାଏ
ଏତେ ଦିନ ଯାଏଁ
ଜଗି ବଞ୍ଚାଇ ରଖିଥିବା କ୍ଷେତକୁ
ଯେମିତି ଚଢେଇ ଖୁଣ୍ଟି ଦେଇ
ଉଡି ଯାଆନ୍ତି
ତୁମକୁ ଖାତିର ନ କରି
ବରଂ କିଛି କହିବା ଅପେକ୍ଷା
ମୋର ବଚନ ଶୂନ୍ୟତା ହିଁ
ତୁମ ପାଇଁ ବେଶୀ ଭଲ
ତୁମେ ବ୍ୟଥିତ ହୁଅ
ଯେତେବେଳେ ନିଦାଘରେ ପ୍ରପୀଡ଼ିତ
ଶତ୍ରୁଙ୍କ ପାଇଁ ମୁଁ
ଅଯାଚିତ ବର୍ଷା ହୋଇଗଲି
ତ୍ରାହି ତ୍ରାହି ଡାକିବାର ସ୍ଥିତି
ହେବାକୁ ନ ଦେଇ ମୁଁ
ଯେମିତି ଗୋଟିଏ ଲମ୍ବା ଗ୍ରୀଷ୍ମର
ତ୍ୟାଗ ଆଉ ସାଧନାକୁ
ପୋଡି ଜାଳି ନଷ୍ଟ କରିଦେଲି
ପ୍ରଶ୍ନ କରି ବସ ମୋ ଦୟାଶୀଳତାକୁ -
"ଅନ୍ତତଃ ଆଉ କିଛି ସମୟ ରହି
ବରଷି ଥିଲେ ତୁମର
କଅଣ ଅସୁବିଧା ହୋଇଥାନ୍ତା ?"
ତୁମେ ଆଉ ତୁମକୁ ଭଲ ନ ପାଉଥିବା ଦୁନିଆ
-ଏଇ ଦୁଇ ସମୀକରଣର
ମୁଁ ଛେଦବିନ୍ଦୁ ନୁହେଁ
କେବେ ଥରେ ନିଶ୍ଚେ କହିଥିବି ତୁମକୁ
ମୁଁ ବି ନିଜେ ଗୋଟେ ସରଳରେଖା
କେବେ ତୁମକୁ ମିଳେ ତ
କେବେ ତୁମର ତଥାକଥିତ ବିରୋଧୀ ମାନଙ୍କୁ
ଆଉ କେବେ ଗହନ ପୀଡ଼ାରେ
ମୁଁ ନିଷ୍ଠୁର ହୋଇ ଛେଦ କରିଥାଏ
ନିଜେ ନିଜକୁ ବି
ଥରକୁ ଥର
ଅନେକ ଥର ।