STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ତେଲ ସରିଯିବ ଦୀପରୁ

ତେଲ ସରିଯିବ ଦୀପରୁ

2 mins
10


ତେଲ ସରିଯିବ ଦୀପରୁ ଲିଭି ଯିବ ସଳିତା 

ଆଜି ଅଛୁ କାଲି ନଥିବୁ ତୋର ପସୁନି ଚେତା।

ଗୀତା ଭାଗବତ କଥା ଟି ଏବେ ଲାଗଇ ପିତା

କାଳ ସାଥେ ଖେଳ ଖେଳୁଛୁ କାଳ କାଟିବ ଚିତା ।


ଚକଚକ ଯାହା ଦିଶଇ ସବୁ ନୁହେଁ ରେ ସୁନା

ମିଛରେ ତୁ ବାଇ ହେଉଛୁ ଦେଖି ପିତଳ ଗିନା ।

ମନେ ମନେ ମନ କହୁଛି ସେତ ରଙ୍ଗିଆ ଘୋଡା

ଶୁଣିବାକୁ ଭଲ ଲାଗୁନି ତୋତେ ପୁରାଣ ପଢା।


କର୍ମ ଫଳ କଥା ମନରେ ଧନ ଭାବୁନୂ କେବେ 

ଅନୀତି ଦୁର୍ନୀତି ପଛରେ ତେଣୁ ଧାଉଁଛୁ ଏବେ ।

ପର ନିନ୍ଦା ପର ଚର୍ଚ୍ଚା ରେ ତୋର ସରୁନି ବେଳ

ସାଧୁଙ୍କୁ ତୁ ନାକ ଟେକୁଛୁ କରୁ ଅସାଧୁ ମେଳ।


ମନ୍ଦ କଥା ଭଲ ଲାଗଇ ମନ୍ଦ ମତି ରେ ପ୍ରିତି

ମନ୍ଦିର କୁ ନିତି ଯାଉଛୁ ନାହିଁ ଭାବ ଭକତି।

ଘରେ ତୋ ସକାଳୁ କମ୍ପଇ ମନ ଭଜନ ଗୀତ

ସଞ୍ଚିବାରେ କିନ୍ତୁ ଲାଗିଛୁ ନିତି ଅଧର୍ମ ବିତ୍ତ ।


ଚକାଆଖି ଦେଖୁଅଛନ୍ତି ତୋର କଲା କର୍ମ କୁ

ସମୟ ତଉଲେ ତୋହର ସବୁ ପାପ ପୂଣ୍ୟ କୁ।

କର୍ମ ଅନୁସାରେ ନିଶ୍ଚୟ ଫଳ ହୋଇଛି ଥୁଆ

ଏଇଠି ଭୋଗିବୁ ଯାତନା କେହି ହେବେନି ସାହା


ଛଳନା କରିତ ଚାଲିବୁ କେତେ ଦିନ ତୁ ବାଟ

ଦୋଛକି ପଡ଼ିଲେ ସମୟ ତୋର ଦେଖିବ ନାଟ।

ଆଗକୁ ଚାହିଁ ଲେ ଆଖି ତୋ ଜମା ପାଇବ ନାହିଁ

ସାହସ ନଥିବ ପଛକୁ ଆଉ ଫେରିବା ପାଇଁ।


ମଣିଷ ଜନମ ଦୁର୍ଲ୍ଲଭ ଜନ୍ମ ଜନ୍ମ ର ଫଳ

କଳି କୋପେ ପାପ ହୁଅଇ ଏଠି ପୂଣ୍ୟ ର କାଳ।

ମାୟା କରୁଅଛି ବାଇଆ ମୋହ କରଇ ଅନ୍ଧ

ମନ ସହ ଏଠି ବିବେକ ନିତି କରୁଛି ଯୁଦ୍ଧ।


କାମନା ବାସନା ମନ ରେ ତୋର ବଡ ବଇରୀ 

ଦୁଃଖ ଅବସାଦ କାରଣ ଆଶା ,ଆଶଙ୍କା ଭରି।

ଭାରି କଷ୍ଟ ପାରି ହେବା ତ ଆଶା ବଇତରଣୀ

ହାତ କାତ ପାଏ ନାହିଁ ଟି ବାଆ ବହେ ଉଜାଣି।


ଧୂଳି ତ ଯେପରି ଦର୍ପଣେ କରିଦିଏ ଅସ୍ପଷ୍ଟ

ସେପରି କାମନା ଜ୍ଞାନ କୁ କରିଦିଏ ଆବୃତ୍ତ।

ବାଟ ବଣା ହୋଇଯାଏ ଟି ତୋର ଅବୁଝା ମନ

ବାଟ ଭୁଲି ଗଲେ ହୁଅଇ କଲବଲ ଜୀବନ।


ଆଖିରେ ଢାଙ୍କିଚି ତୋହର ସତେ ପାପ ପରଳ

ଅମୃତ କୁ ନାକ ଟେକି ତୁ ପିଇ ଯାଉ ଗରଳ।

କଣ୍ଟାକୁ ଆଦର କରୁତୁ ଦେଉ ଫୁଲକୁ ଦଳି

ମିଛ ପାଇଁ ସତ ସାଥିରେ ସଦା କରୁଛୁ କଳି ।


ଇନ୍ଦ୍ରିୟ ମାନଙ୍କୁ ଦମନ ଯିଏ ନପାରେ କରି

ଜିତିବା ଯୁଦ୍ଧକୁ ସହଜେ ସିଏ ଯାଏତ ହାରି।

ସଂଯମ ଶୃଂଖଳା ନୀୟମ ଯଦି ମାନିବୁ ମନ

ସୁଗମ ହୋଇବ ଜୀବନ ମାର୍ଗ ତୋହର ଜାଣ।


ଚରିତ୍ର ଉପରେ ଗୁରୁତ୍ବ ଯେଉଁ ଜନ ଦିଏନି

ନିନ୍ଦା ଅପବାଦ ତାହାର କେବେ ପିଛା ଛାଡେନି।

ଧନ ଦଉଲତ ନଥାଉ ପଛେ ପାଖରେ ମନ

ଚରିତ୍ରବାନଙ୍କୁ ମିଳଇ ସଦା ମାନସମ୍ମାନ ।


ପାପ ବୋଝ ବୋହି ମନ ରେ କେତେ ବାଟ ଚାଲିବୁ

ଦିଖୋଜ ଚାଲିଲେ ବାଟରେ ତୁତ ଥକି ପଡ଼ିବୁ।

ଅନ୍ୟାୟ ପଛରେ ଧାଇଁ ଲେ ଶୋଷ ମେଣ୍ଟିବ ନାହିଁ 

ଅଯାଗା ରେ ଘାଆ ହୋଇବ ଦେଖି ପାରିବୁ ନହିଁ।


କାମ କ୍ରୋଧ ଲୋଭ ମୋହ ଠୁ ରହିଲେ ତୁ ଦୂରେଇ

ଚିନ୍ତା ଅବସାଦ ପାରିବ ନାହିଁ ତୋତେ ଯେ ଛୁଇଁ।

କୁଟ କପଟିଆ ଲୋକଙ୍କୁ କର ଦୂରୁ ଯୁହାର

ସତ୍ ଚିନ୍ତା ସତ୍ ଭାବନା ଦେବ ଶାନ୍ତି ଅପାର।


ପ୍ରଭୁ ଙ୍କ ପାଦରେ ମନକୁ ଯଦି ସମର୍ପି ଦେବୁ

ଭବ ଜଳଧି ରୁ ସହଜେ ମନ ଉଦ୍ଧାର ହେବୁ।

ପ୍ରଭୁଙ୍କ ପାଦରେ ଶରଣ ଯଦି ପସିବୁ ତୁହି

ଭଲବାଟେ ଯିବା ପାଇଁକି ସାହା ହୋଇବେ ସେହି।


ନିଷ୍ଠା ରେ ପ୍ରଭୁଙ୍କ ନାମ କୁ ସଦା ଜପିବୁ ମନ

ଅପାର ଆନନ୍ଦ ମିଳିବ ଥିବା ଯାଏ ଜୀବନ।

ସହଜ ସୁନ୍ଦର ହୋଇବ ତୋର ଜୀବନ ରାହା

ଛାଇ ପରି ପାଖେ ରହିବେ ପ୍ରଭୁ ସେ ଚଉବାହା ।


ଅଧମ ଜନ ମୁଁ ମନ କୁ ମୋର ବୁଝାଏ ନିତି

ତୁମ ଛଡା ପ୍ରଭୁ ନାହିଁ କେ ଜଣେ ଆପଣା ଅତି।

ଶତ ପ୍ରଣିପାତ ପାଦରେ ତୁମ ଏଇ ମିନତି

ଦୋଷାଦୋଷକୁ ମୋ କ୍ଷମିବ ଆହେ କମଳାପତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract