ତାରିଣୀ ମହିମା
ତାରିଣୀ ମହିମା
ସିଂହ ଦ୍ୱାରେ ଗର୍ଜେ ବେତ,
ମାଆ ମଙ୍ଗଳାଙ୍କୁ ମୋ ଦଣ୍ଡବତ
ଆରମ୍ଭ କରୁଛି ଗୀତ l
କଣ୍ଠେ ତୋ ମନ୍ଦାର ମାଳା,
ବନ୍ଦନା କରୁଛି ମାଆ ଶାରଳା,
କହିବି ତାରିଣୀ ଲୀଳା l
ବହିଲା ଚଇତି ବାଆ,
ଗଣ୍ଠିଲି ବାନ୍ଧ ତୁ ଚଇତା ମାଆ,
ଯିବା କାଲି ଘଟ ଗାଆଁ l
କାଉ ରାବ ଦେଲା କାଆ
ଘଟଗାଁ ବାସିନୀ ତାରିଣୀ ମାଆ
ସର୍ବ ସଙ୍କଟରେ ସାହା l
ଶୁଣ ଆରେ ଧନମଣି,
ବୁଝାଇ କହ ତୁ ମାଆ କାହାଣୀ,
କିଏ ସେ ନଡ଼ିଆ ରାଣୀ l
ଶୁଣ ଦେଇ ମନ କର୍ଣ୍ଣ,
ମାଆଙ୍କର କଥା କରେ ବର୍ଣ୍ଣନ,
ମନୋବାଞ୍ଛା ହେବ ପୂର୍ଣ୍ଣ l
ଆମ୍ଭ ଉତ୍କଳ ନାୟକ,
ସାଜି ଥିଲେ ଦିନେ ଯୋଦ୍ଧା ପାଇକ,
କାଞ୍ଚିଯୁଦ୍ଧେ ରଖି ଟେକ l
କଳା ଧଳା ଦୁଇ ଭାଈ,
ଘୋଡ଼ା ଚଢ଼ି ଗଲେ ଧୂଳି ଉଡ଼ାଇ,
ମାଣିକା ଠୁଁ ଖାଇ ଦହି l
ଧରି ବର୍ଚ୍ଛା, ତୀର, ଖଣ୍ଡା,
ଯୋଦ୍ଧା ଗଡ଼ାଇଲେ ଗଣ୍ଡାକୁ ଗଣ୍ଡା,
ଉଡ଼ିଲା ଉତ୍କଳ ଝଣ୍ଡା l
ଉତ୍କଳରେ ବାସ ପାଞ୍ଚି,
ତେଜ୍ୟା କରି ମାଆ ଆସିଲେ କାଞ୍ଚି,
ସଙ୍ଗେ ଗଣେଶ ଶ୍ରୀବତ୍ସି l
କାଞ୍ଚି ଯୁଦ୍ଧେ ସେନାପତି,
ଶ୍ରୀଗୋବିନ୍ଦ କେନ୍ଦୁଝର ନୃପତି,
ମାଆଙ୍କୁ କଲେ ମିନତି l
ଶୁଣି ରାଜାଙ୍କ ମିନତି,
ମାଆ ଆଜ୍ଞା ଦେଲେ ମଉନାବତି,
ପଛେ କରୁଛି ମୁଁ ଗତି l
ନଇଁ ଆସୁ ଅଛି ସଞ୍ଜ,
ଆଗେ ଆଗେ ଚାଲ ଗୋବିନ୍ଦ ଭଞ୍ଜ,
ଶୁଣି ମୋ ନୂପୁର ଗୁଞ୍ଜ l
ବାଟେ ପଡ଼େ ଘଟ ଗାଆଁ,
ବିଡ଼ିବାକୁ ମନ ନୃପତି ନାହା,
ମାଆ ହେଲେ ଟିକେ ଠିଆ l
ଭଞ୍ଜେ ଗଣିଲେ ପ୍ରମାଦ,
ଶୁଭୁ ନାହିଁ ଆଉ ମାଆଙ୍କ ନାଦ,
ବୁଲିଗଲେ ଦୁଇ ପାଦ l
ମାଆ ପାଲଟିଲେ ଶିଳା,
ଘୋରବନେ ତାଙ୍କ ଚାଲିଲା ଲୀଳା,
ଘଟ ଗାଁ ପ୍ରସିଦ୍ଧ ହେଲା l
ଶାଳବଣେ ତାଙ୍କ ବାସ,
ଦେହୁରୀ ଭାଈନା ତାଙ୍କରି ଦାସ,
ଖଟି ଥାନ୍ତି ଅହର୍ନିଶ l
ସଦା ସାହା ଦୟାମୟୀ,
ନଡ଼ିଆଟେ ଦେଲେ ପାଣି ଛଡ଼ାଇ,
ସଙ୍କଟ ଦୂରେ ପଳାଇ l
ଧନ୍ୟ ମୋ ଜନ୍ମ କୈବର୍ତ୍ତ,
କଣ୍ଠେ କହିଦେଲୁ ତୋହର ଗୀତ,
କୋଟି କୋଟି ଦଣ୍ଡବତ ।