ତାରିଖ
ତାରିଖ
ରୂପଗୁଣ ତାର ନୁହେଁରେ ଭିନ୍ନ,
ଗୋଟିଏ ନମ୍ବର ଗୋଟିଏ ଦିନ,
ସବୁଥିରେ ସେହି ସାତ ଦିବସ,
ତିରିଶ ହୋଇଲେ ପୂରଇ ମାସ ।
ରବି, ସୋମ ଆଉ ମଙ୍ଗଳବାର,
ବୁଧ, ଗୁରୁ, ଶୁକ୍ର, ଶନି ଚକର,
ମାସସାରା ପୁଣି ଅଟେ ତିରିଶ,
ଏକା ଫେବୃଆରୀ ଅଠେଈଶ ।
ଯେବେ ଆସେ ପୁଣି ଅଧିବରଷ,
ଫେବୃଆରୀ ହୁଏ ଅଣତିରିଶ,
ପୁଣି ଚାରିମାସ ଏକତିରିଶ,
365ଦିନେ ପୂରଇ ବରଷ ।
ସବୁଦିନେ ଯେଣୁ ଘୁରୁଛି ମହୀ,
ତାରିଖ ଫେରୁଛି ଚକର ହୋଇ,
ତିରିଶ ତାରିଖେ ପୂରଇ ମାସ,
ବାରଟି ମାସରେ ହୁଏ ବରଷ ।
ପ୍ରତିବର୍ଷ ସେହି ତାରିଖ ଦିନ,
ପାଳନ୍ତି କେତେଯେ ପୂଜାପାର୍ବଣ,
ତିଥିବାର ହୋଇଥିଲେବି ଭିନ୍ନ,
ତାରିଖ ଜାଗ୍ରତ କରଇ ମନ ।
ତାରିଖରେ ଆଜି ସଂସାର ଚାଲେ,
ତାରିଖ ପୂରିଲେ ଦରମା ମିଳେ,
ତାରିଖ ସୂଚାଏ ଜନମଦିନ,
ପୁଣି ପାଳୁଥାଏ ତିରୋଧାନ ।
ତାରିଖ କରାଏ ରାଜା ଓ ମନ୍ତ୍ରୀ,
ତାରିଖକୁ ଦେଖି ଚଳଇ ଯନ୍ତ୍ରୀ,
ତାରିଖ ଲେଖାଇ ବାରଟି ମାସ,
ପୁନରାବୃତ୍ତିରେ ନୂଆବରଷ ।
ତାରିଖ ସୂଚାଏ ଛୁଟିଦିବସ,
ପୁଣି ଲେଖିନିଏ କର୍ମଦିବସ,
କେବେ ପୂଜା ଆଉ ପାର୍ବଣ ନୀତି,
ସାରାଦୁନିଆଁର ସମୟ ସ୍ଥିତି ।
ସବୁରି ଜୀବନ ଚାଲେ ତା ମତେ,
ସବୁରି କରମ ଲେଖା ତା ହାତେ,
ସତରେ ତାରିଖ ଅଟେ ମହାନ,
ତାସାଥିରେ ମିଶି କରିବା କାମ ।