ତାଳଗଛ ଓ କଇଁ
ତାଳଗଛ ଓ କଇଁ
ପୋଖରୀ ହୁଡ଼ାର ତାଳଗଛଟେ ମୁଁ
ଆଲୋ ସରସୀର ନୀଳକଇଁ,
ତାରା ସଙ୍ଗେ ନିତି କଥା ମୁଁ ହେଉଛି
ମଥା ମୋ ଆକାଶେ ମିଶେ ଯାଇ ।
ନୁହେଁ ଆମ୍ରକୁଞ୍ଜ ସକାଳ କି ସଞ୍ଜ
କୋଇଲି ମୋ ଡ଼ାଳେ ବସେ ନାହିଁ,
ନିରବରେ ଦେଖେ ପାଖ-ଦୂର ଛବି
ଥାଉ ତୁ ଜହ୍ନର ବାଟ ଚାହିଁ ।
ଗ୍ରୀଷ୍ମ ଶୀତ ବର୍ଷା ସବୁବେଳେ ଏଠି
ଧୈର୍ଯ୍ୟ ଧରି ଥାଏ ଛିଡାହୋଇ,
ମୋତେ ଆଶ୍ରା କରି ବାଇଚଢ଼େଇର
ଦିନ ମାସ ବର୍ଷ ଯାଏ ପାହି ।
ପଦୁଅଁର ତୁହି ସାନ ଭଉଣୀଟି
ତୋତେ ମୁଁ ନିରେଖେ ଏଠି ଥାଇ,
ଜହ୍ନ ସାଥେ ତୋର ଭାବଟି ନିଆରା
କେଉଁ କାଳରୁ ତା' ଅଛି ରହି ।
ଦେଖା ହେବ ଯେବେ ତୋ କଥା କହିବି-
"ପ୍ରତୀକ୍ଷା କରାଅ ଏତେ କିଆଁ,
କୁମୁଦ ବାନ୍ଧବୀ କୁମୁଦିନୀ ଯେଣୁ
ତେଣୁ ତା' ହୃଦୟେ ଲାଗେ ନିଆଁ ।
ଆକାଶକୁ ତୁମେ ସଅଳ ଆସିକି
ଏଥରକ ତାକୁ ଦେଖାକର,
ତୁମପ୍ରତି ଶ୍ରଦ୍ଧା ଅଛି ଯା' କଇଁର
ଅତୁଟ ରଖ ହେ ନିଶାକର ।"

