ସୁରଭିହୀନା ମୁଁ ବୋଲି
ସୁରଭିହୀନା ମୁଁ ବୋଲି


ଧୀର ପବନରେ ଝୁଲି ଝୁଲି ମୁହିଁ
ବୃକ୍ଷ ଡାଳରେ ଫୁଲଟିଏ ହୋଇ
ଫଗୁଣରେ ଖେଳେ ଦୋଳି ,
ରଙ୍ଗଟି ମୋହର ନାଲି
ସୁରଭିହୀନା ମୁଁ ବୋଲି ....୧
ସହଜେ ପାଏନି କାହାରି ଆଦର
ଚଇତି ବାଆରେ ଯାଏ ଦୋହଲି
ମୃଦୁ ଶିହରଣେ ଖେଳି ,
ସବୁ ଦୁଃଖ ମୋର ଭୁଲି
ସୁରଭିହୀନା ମୁଁ ବୋଲି.... ୨
ସାଜେନା ମୁଁ କେବେ ଗଭାରେ କାହାରି
ବଇଶାଖି ତାତି ଦେହରେ ବୋଳି
ଶତ ଯନ୍ତ୍ରଣାକୁ ଭୁଲି ,
"ପଳାଶଫୁଲ" ମୁଁ ନାଲି
ସୁରଭିହୀନା ମୁଁ ବୋଲି.... ୩
ଭାବେ ଉଡ଼ିଯିବି ପବନ ସାଥିରେ
ଆକାଶେ ମୋ ରଙ୍ଗ ଦିଅନ୍ତି ବୋଳି ,
ସରଗ ରାଇଜେ ବୁଲି
ସବୁ ଅପବାଦ ଭୁଲି
ସୁରଭିହୀନା ମୁଁ ବୋଲି.... ୪