ମାନ ଭଞ୍ଜନ (ଆଦ୍ୟ ଓ ମାଳ ଯମକରେ )
ମାନ ଭଞ୍ଜନ (ଆଦ୍ୟ ଓ ମାଳ ଯମକରେ )
ସୁମନା ସୁମନା ସୁମନା ମନୁ ବରଜ ମାନ
ନବୀନା ନବୀନା ନବୀନା ନାହିଁ ତୋ ସମ ଆନ ।
ନୀରଜ ନୀରଜ ନୀରଜ କାନ୍ତି ଶୋଭା ବିତାନ
ଚିକୁର ଚିକୁର ଚିକୁର ଭଙ୍ଗୀ କଳା ନିଧାନ ।
ସାରଙ୍ଗ ସାରଙ୍ଗ ଶାରଙ୍ଗ ଅଙ୍ଗ ରାଗ ଶୋଭନ
ସାରସ ସାରସ ସରସ ରସନିଧି ଭଵନ ।
ରସା ରସାଳସା ସରସା ପ୍ରିୟା ପ୍ରାଣ ସଙ୍ଗିନୀ
ଜୀବନ ଜୀବନ ଜୀବନଧନୀ ମନ ମୋହିନୀ ।
ଅଳକ ଅଳକ ଅଳକ ଶୋଭା ନେତ୍ର ଅଟକେ
ରତିପତି ରତି ରତିକୁ ବରଜିବେ ଛଟକେ ।
ଶ୍ରୀଫଳ ଶ୍ରୀଫଳ ଶ୍ରୀଫଳା ଉରଜରେ ତୁଳିକି
ହରି ହରି ହରି ବିହରି ସାଜେ ସ୍ମର ଶୂଳିକି ।
ସ୍ୱୟଂମ୍ଭୁ ସ୍ଵୟଂଭୂ ପୂଜନେ ମାର ମନ୍ତ୍ର ପଠନ
ତିଳକ ତିଳକ ତିଳକ ପ୍ରଭା ସଦା ଉତ୍ପନ୍ନ ।
ଭଵନ ଭୁବନ ଭୂ-ବନ ମୋହି ରଙ୍କ ରତନ
ରମ ରମ ରାମା ମଣ୍ଡନା ତାପ କର ଖଣ୍ଡନ ।
ହରି ହରିଣାକ୍ଷୀ ହରଷେ ହରପର ବେଦନା
ରଞ୍ଜନା ରଞ୍ଜନା ରଞ୍ଜା ମୋ ମନ ବରବରନା ।
ଘନାଘନ ଘନାଘନରେ ଘନରସ ସଞ୍ଚାରି
ଜ୍ରୁମ୍ଭନେ ଜମ୍ଭନେ ଜଘନେ ବନ୍ଧ ବାନ୍ଧ ବିଚାରି ।
ଅନଙ୍ଗ ଅନଙ୍ଗ ଅନଙ୍ଗ ସଙ୍ଗ ଲାଭ ସରଣୀ
ପ୍ରିୟକ ପ୍ରିୟକ ପ୍ରିୟକ ମକରନ୍ଦ କରଣି ।
ମାନିନୀ ମାନିନୀ ମାନି ମୋ ବାଣୀ ଆସ ଵହନ
ରଣରଣ ରଣ ସାଧନେ ସଜା ଅଙ୍ଗ ସ୍ୟନ୍ଦନ ।
ସୁରସ ସୁରସା ସରସା ରସାସାର ଦାୟିନୀ
ଜଗନ୍ନାଥେ ନାଥେ ଭସାଅ ହୋଇ ଅଙ୍କ ଶାୟିନୀ ।
ଯମକେ ଯମକେ ଏ ମାନ ଭଞ୍ଜନର ରହସ୍ୟ
ବିଦୁଷ ବିଦୁଷୀ ବିଦୃଶ୍ୟ ଦୃଶ୍ୟ ଆନେ ନିରସ ।
ଦୋଷାଦୋଷ କ୍ଷମ କ୍ଷମାନୁକମ୍ପାଧର ପାଠକେ
ସ୍ୱଭାବେ ଭାବେ ଯା ଆସୁଛି ଲେଖେ ଚିତ୍ରପଟକେ ।
