ଆହେ ଜଗନ୍ନାଥ
ଆହେ ଜଗନ୍ନାଥ
ଜଗତର ନାଥ ଆହେ ! ଜଗନ୍ନାଥ
ଦାରୁବ୍ରହ୍ମ ରୂପଧାରି ,
ଶ୍ରୀକ୍ଷେତ୍ର ପ୍ରଭୁ ହେ ! ବିଜେ କରିଅଛ
କଳ୍ପବଟ ହେ ! ମୁରାରି ।
ତୁମେ ସୃଷ୍ଟି ପୁଣି ସ୍ଥିତି ମଧ୍ୟ ତୁମେ
ଶ୍ରୀକ୍ଷେତ୍ର ମଉଡମଣି ,
ଦୟାର ସାଗର କାଳିଆ ଠାକୁର
ଆହେ ପ୍ରଭୁ ନୀଳମଣି।
ହେ! ବିଶ୍ଵ ବିହାରି ସୁଦୟା ଶ୍ରୀହରି
ଅଳି ପ୍ରଭୁ ବନମାଳୀ ,
ସଂସାର ପ୍ରଭାକୁ ଉଦ୍ଧାର ଜୀବକୁ
ଏହି ମାତ୍ର ମୋର ଅଳି ।
ସରି ଯାଉଛି ମୋ ଭକତିର ଭାବ
ଶୁଖିଲାଣି ଗଳା ମୋର ,
କେତେ ଯେ ଆକୁଳ ଡହଳ ବିକଳ
କ୍ଷୀଣ ହେଲାଣି ମୋ ସ୍ଵର ।
ତୋର ନିର୍ଦ୍ଦେଶରେ ଚାଲିଛି ସମୟ
ଅନ୍ୱେଷଣ ପଥ ପରେ ,
ଖୋଜି ମୁଁ ବସିଛି ମଣିଷ ପଣିଆ
ତୋର ଏ ମାୟା ସଂସାରେ।
ଅବୁଝା ଗଣିତ ସମାଧାନ ସୂତ୍ର
ତତେ କେବଳରେ ଜଣା ,
ଅଣ ନିଃଶ୍ୱାସୀ ମୁଁ ଅସ୍ପଷ୍ଟ ରାସ୍ତାରେ
ହୋଇଯାଏ ପଥ ବଣା।
ଅଲେଖା ଶବ୍ଦର ଉତ୍ତର ଲେଖିଦେ
ଆରେ ମୋ' କାଳିଆ ସୁନା,
ହଜାରେ ପ୍ରଶ୍ନର ଗୋଟିଏ ଉତ୍ତର
କେ' ନିଜର ତୋର ବିନା ।
ମଧୁମୟରେ ତୁ ସୁଧାମୟରେ ତୁ
ସର୍ବଭୂତେ ତୋର ସ୍ଥାନ ,
ଧ୍ୟାୟିଛି କେବଳ ଏ ସନ୍ତପ୍ତ ପ୍ରାଣ
ନାହିଁ ମୋର ବୁଦ୍ଧି ଜ୍ଞାନ ।
ପାପର ପୁଣ୍ୟର ବିଚାର ତୋରରେ
ଶୂନ୍ୟ ଏ ହୃଦୟ ଭାରେ ,
ସହି ପାରେ ନାହିଁ ଅଧର୍ମ, ଅନ୍ୟାୟ
ସହିଷ୍ଟୁତାର ବେଭାରେ ।
ହସି ଉଠୁ ଧରା ଏ ମଣିଷ ସାରା
ଧର୍ମ ପଥେ ରହୁ ମନ ,
ପ୍ରକୃତି ଲୀଳାରେ ପ୍ରାଣୀଙ୍କ ହିତରେ
ଚାଲିଯାଉ ଏ ଜୀବନ।
