ମନଟିକୁ ମୋର ଡଙ୍ଗାଟିଏ କଲି
ମନଟିକୁ ମୋର ଡଙ୍ଗାଟିଏ କଲି
ମନଟିକୁ ମୋର ଡଙ୍ଗାଟିଏ କରି
ସମୁଦ୍ରେ ଦେଲି ଭସାଇ
ଭାସି ଭାସି ଯିବୁ ମନଟି ମୋରରେ
ମହୋଦଧି କୂଳେ ଲାଗିବୁ ଯାଇ ।
ମହୋଦଧିରେ ତୁ ଭାସିବୁ ମନରେ
ତରଙ୍ଗର ତାଳେ ତାଳେ
ହୃଦୟେ ରଖିବୁ ଶ୍ରୀରଙ୍ଗା ଅଧର
ତରିବା ପାଇଁ ଏ ଭବ ଜଳେ ।
ଇଚ୍ଛା ହେବ ଯଦି ଦେଖିବାକୁ କେବେ
ଚକ୍ରଧର ବେଣୁପାଣି
ନୀଳ ଆକାଶର ବଉଦ ମାଳାରେ
ଭାସି ଭାସି ଯିବୁ ଚାଲି ।
ଦେଖିବୁ ସେଠାରେ ବଡ ଦେଉଳକୁ
ଯହିଁ ନେତ ଉଡେ ଫର ଫର
ଟିକେ ରହିଯିବୁ ସେ ବଡ ଦାଣ୍ଡରେ
ଦେଖିବାକୁ ଯିବୁ ବଡ ଠାକୁର ।
ଭକତି ରସରେ ଭାବବିହ୍ୱଳରେ
କୁଣ୍ଢେଇ ଧରିବୁ ଅରୁଣ ସ୍ତମ୍ଭ
ଆଖି ଆଗରେ ତୋ ଦୃଶ୍ୟମାନ ହେବ
ନୀଳାଚଳିଆର ମୋହନ ମୂରତୀର ପ୍ରତିବିମ୍ବ ।
ସିଂହ ଦୁଆରକୁ ଅନେଇ ଦେଖିବୁ
ପ୍ରଭୁ ଚାହିଁଥିବେ ଏକ ଲୟେ
ହୃଦୟୁ ତୋହର ଶଙ୍କା ଯିବ ଚାଲି
ଦୁରିଭୂତ ହେବ ଭୟ ।
ଧୀରେଧୀରେ ଯିବୁ ବାଇସି ପାହାଚେ
ମୋହ ମାୟା ଦେଇ ଛାଡି
ତାପରେ ଦେଖିବୁ ଜଗମୋହନକୁ
ଲୁହ ଆସିବ ନିଗିଡି ।
ରତ୍ନସିଂହାସନେ ଦେଖିବୁ ପ୍ରଭୁଙ୍କୁ
ଚାଲିଯିବ ରାଗ ଦ୍ୱଷ
ଚାରିଆଡେ ଦିଶିବେ ଲୀଳାମୟ ପ୍ରଭୁ
ହୃଦୟ ହୋଇବ ବଶ ।
ମୁକତି ମଣ୍ଡପେ ବସିଯିବୁ ଟିକେ
ପ୍ରଭୁଙ୍କର ନାମ ନେଇ
ଅବଢ଼ା ହାଟକୁ ବୁଲିଯିବୁ ଥରେ
ଅବଢ଼ା ଖାଇବୁ ପେଟ ପୁରାଇ ।
ତାପରେ ମନରେ ପବନ ଦୋଳିରେ
ଭାସିଯିବୁ ତୁହି ପୂଣ୍ୟମହୋଦଧି କୂଳେ
ବାକି ଜୀବନଟା ଭାସିବୁ ମନରେ
ମହୋଦଧି ଉର୍ମିମାଳେ ।