ଭକ୍ତିପୁଷ୍ପ ୧୪
ଭକ୍ତିପୁଷ୍ପ ୧୪
ଖସାଇ ରଜନୀ
ମଥାରୁ ଓଢଣୀ
ମାଗୁଛି ମେଲାଣି ଦିଅ ଗୋ ,
ବଂଶୀର ରାଗିଣୀ
କାନେ ବାଜିଲାଣି
ଡାକୁଛି ମିତଣୀ ଯାଅ ଗୋ ।
ରଜନୀ ପୀରତି
କରି ଦେଇ ଇତି
କାହ୍ନୁ ତ ଗଲେଣି ଯମୁନା ,
ଏକା ହାଇଁ ପାଇଁ
ହେଉ ଥିବେ ସହି
ବ୍ୟସ୍ତ ହେଉ ଥିବେ ମୋ ବିନା ।
ଘରର ପାଇଟି
ନସାରି ଯିବି କି
ଶାଶୁଠୁଁ ଖାଇବି ଗଞ୍ଜଣା ,
କି ବୁଦ୍ଧି କରିବି
କେତେବା ଶୁଣିବି
ବାଟେ ଘାଟେ ନିନ୍ଦା ବାଜଣା ।
ହେବ ଟିକେ ଡେରି
ବାସି କାମ ସାରି
ଯିବି ପାଣି ଆଣି ଯମୁନା ,
ବେଣୁପାଣି ବେଣୁ
ବାଜେ ଏଣୁତେଣୁ
କେମିତି ସହିବି ଯାତନା ।
କହିବ କାହ୍ନୁରେ
ବିରହ ବହ୍ନିରେ
ନିଜେ ଜଳି ଆଉ ନଜାଳୁ ମତେ,
ବୋହୂ ଟିଏ ହେଇ
ପାରିବି କି ଯାଇ
ନିତି ନିତି ଆଉ ଘାଟକୁ ଏତେ ?