ମାଆ ମୋର ମନେପଡ଼େ
ମାଆ ମୋର ମନେପଡ଼େ


ମାଆ ମୋର ମନେପଡ଼େ
ନିଃଶବ୍ଦ ବେଳାରେ ,
ଜହ୍ନ ଜୋଛନାରେ ଅବା
ତାରାଙ୍କ ମେଳରେ ।
ସପନ ଝୁଲିରେ କିବା
ସାଉଁଟା ସ୍ମୃତିରେ ,
ହୃଦୟଟା କୋରିହୁଏ
ସାଦା କାଗଜରେ ।
ବର୍ଷକରେ ଥରେ ନୁହେଁ
ପ୍ରତି ମୁହୁର୍ତ୍ତରେ ,
ମଶାଣି ପଡ଼ିଆ ଜୁଇ
ପାଉଁଶ ଭିତରେ ।
ଦିନେ ନୁହେଁ ସବୁଦିନେ
ଆଖିର ଲୁହରେ ,
ଟଙ୍ଗା ଯାଇଥବା କାନ୍ଥେ
ଫଟୋଟି ଭିତରେ ।
ମାଆ ଦେଇଥିବା ଫୁଲ
ନୀତି ପୂଜା ଘରେ ,
ସିନ୍ଦୂର, ଚନ୍ଦନ ଟୋପା
ଠାକୁର ମଥାରେ ।
ମାଆ ଚାଲିଗଲା ପରେ
ତା' ପିନ୍ଧା ଲୁଗାରେ ,
ପଲଙ୍କରେ ପାରିଥିବା
ବିଛଣା ଚାଦରେ ।
ମାଆ ମୋର ଖାଉଥିବା
କଂସା ବାସନରେ ,
ମାଆ ହାତ ଲାଗିଥିବା
ଗହଣା ବାକ୍ସରେ ।
ଶେଷ ଥର ଦେଇଥିବା
ପିଲାଙ୍କ ହାତରେ ,
ଆଗକାର ବାଇଗଣି
ପଚାଶ ଟଙ୍କାରେ ।
ମାଆ ମତେ ପିନ୍ଧେଇବା
ଚୁଡ଼ି ଦି , ପଟରେ ,
ସାଙ୍ଗ ହୋଇ ପିଇଥିବା
ଶେଷ ଚା , କପ୍ ରେ ।
ଶେଷ ଥର ଶେଷ ସ୍ମୃତି
ଥରିଲା ଓଠରେ ,
ସେଇ ଶେଷ ଶବ୍ଦ ଗୋଟି
ବିଦାୟ ବେଳାରେ ।
ସବୁ ବେଳେ ମାଆ କହେ
ଟିକେ ରହିଯାରେ ,
ଏବେ ଗଲେ ପୁଣି କେବେ
ଆସିବୁ କହରେ ..?
ମାଆ ଚାଲିଗଲା ପରେ
ଶୂନ୍ୟ ସେ ଗୃହରେ ,
ମାଆ ଭାରି ମନେପଡ଼େ
ନିଃଶଦ୍ଦ ରାତିରେ ।
ହଜିଗଲା ମାଆ କଣ
ଆଉ କେବେ ଫେରେ??
ମାଆ ଭାରି ମନେ ପଡ଼େ
ନିଃଶବ୍ଦ ବେଳାରେ ।