ଭକ୍ତିପୁଷ୍ପ-୧୫
ଭକ୍ତିପୁଷ୍ପ-୧୫
ଗଲେଣି ରଜନୀ
ଆସ ଗୋ ସଜନୀ
ଯିବା ଗୋ ଯମୁନା ପାଣି ଆଣି ,
ବାହାନା ତ ପାଣି
ଉଚ୍ଛୁର କରନି
କେଣେ ଚାଲି ଯିବେ ବେଣୁପାଣି ।
ହଟିଆ ନାଗର
ରସରେ ସାଗର
ବିଳମ୍ବରେ ହେବେ ଛାଟିପିଟି ,
ବଇଁଶୀ କୁ ଫିଙ୍ଗି
କଦମ୍ବକୁ ଭାଙ୍ଗି
ହାଟ ବସେଇବେ ଏଠି ସେଠି ।
ତାଙ୍କ ଅଭିମାନ
କରିବା ଖଣ୍ଡନ
ନାକରେ ପିଇବା ପାଣି ସମାନ ,
ତେଣୁ ଆଗୋ ସହି
ଡେରି କର ନାହିଁ
ସହଳ ସହଳ କର ଗମନ ।
କାହ୍ନୁ ପ୍ରୀତି ସାରି
ପାଣି ଗରା ଧରି
ଫେରିବାକୁ ହେବ ସଖି ସହଳ,
ଚାହିଁ ଥିବେ ଶାଶୁ
ଘରେ ପଶୁ ପଶୁ
ଡେରି ହେଲେ ଉକାଳିବେ ଗରଳ ।
ନଗଲେ ଯମୁନା
ରୋଷ କରେ କାହ୍ନା
ଗଲେ ଚନ୍ଦ୍ରସେଣା କରେ ଆକଟ ,
ଫେରିଲେ ସହଳ
କାହ୍ନୁରେ ବିକଳ
ଡେରି ହେଲେ ଶାଶୁ କିଳେ କବାଟ ।
ଦୁଇ ନାବେ ପାଦ
ଅଚିରେ ବିପଦ
ଭୋଗୁଛି ଯାତନା ସହି ଅନେକ ,
ପାରୁ ନାହିଁ ଛାଡ଼ି
ଘଡ଼ିଏ ଦି' ଘଡ଼ି
ରହି ପାରିବିନି ସଖି କ୍ଷଣିକ ।