ସୁମନ
ସୁମନ
ଈଶ୍ବରଙ୍କ ସୃଷ୍ଟି ଅଟଇ ସୁମନ
କେତେ ରଙ୍ଗ କେତେ ବାସ
ମହକ ଛୁଟାଇ କରେ ବିମୋହିତ
ଚହଟଇ ଚଉପାଶ ।
ରୁପ ରଙ୍ଗ ତାର କିଏ ବା ବର୍ଣ୍ଣିବ
ସପ୍ତରଙ୍ଗ ଦେହେ ଖେଳେ
ବିଭିନ୍ନ କିସମ ବିଭିନ୍ନ ନାମ ତା
ଖୁସି ହୋନ୍ତି ଦେଖି ଡୋଳେ ।
ଟିକି ପ୍ରଜାପତି ଉଡି ଉଡି ଆସି
ତା ଦେହରେ ଥାଏ ବସି
ଭ୍ରମର ମଧୁପ ତା ଦେହେ ବସନ୍ତି
ଆଣନ୍ତି ମହୁକୁ ଶୋଷି ।
ମହୁମାଛି ବସି ଫୁଲର ଦେହରୁ
ମହୁ ଆଣି ରଖି ଥାଏ
ସେଇ ମହୁ ଯୋଗୁଁ ଦେବା ଦେବୀ ପୂଜା
ନର ସିନା କରି ଥାଏ ।
ତୁଳସୀ ରସରେ ମହୁ ସେ ମିଶାଇ
ସକାଳେ ସନ୍ଧ୍ୟାରେ ପିଏ
କେତେ ଥଣ୍ଡା ଜ୍ବର ଭଲ ହେଇ ଥାଏ
କଳିବା ପାରିବ କିଏ ?
ସୁମନ ନ ଥିଲେ କେଉଁଠୁ ଆସିବ
ଏ ମହୁ ପାଇବ କିଏ
ମହୁ ନ ମିଳିଲେ କେମିତି ରୋଗରୁ
କିଏ ଅବା ଭଲ ହୁଏ ।
ରଜନୀରେ କିଏ ଫୁଟି ହସୁଥାଏ
ଦିବସରେ କିଏ ଫୁଟେ
ଚିତ୍ର ବିଚିତ୍ରର ନାନା ସୁବାସରେ
ମହକ ତାହାର ଛୁଟେ ।
ଶର୍ବରୀ ଆସିଲେ ଚନ୍ଦ୍ରମା ହସିଲେ
କୁମୁଦ ଫୁଟଇ ଜଳେ
ଝରା ଶେଫାଳିଟି ରାତିରେ ଫୁଟିଣ
ସକାଳେ ପଡଇ ତଳେ ।
ନୀଳ ଆକାଶରେ ସୁରୁଯ ଆସିଲେ
ସୂର୍ଯ୍ୟମୁଖୀ ହସୁଥାଏ
ଢଳ ଢଳ ହେଇ ପଦ୍ମ ଫୁଲ ଜଳେ
ଭାସ୍କରକୁ ଚାହିଁ ଥାଏ ।
କେତେ ଶରଧାରେ ଭକତଟି ତାର
ସୁମନକୁ ତୋଳି ଥାଏ
ଶ୍ରଦ୍ଧା ଭକତିର ବିଶ୍ୱାସ ଭକ୍ତିରେ
ଠାକୁରଙ୍କୁ ଅର୍ପି ଥାଏ ।
ପଦ୍ମଫୁଲ ଦେଖି ଲକ୍ଷ୍ମୀ ଠାକୁରାଣୀ
ଶ୍ରୀୟା ଚଣ୍ଡାଳୁଣୀ ଘରେ
ବିରାଜ ହେଇଲେ ବରକୁ ସେ ଦେଲେ
ଦୁଃଖ ଗଲା ତାର ଦୂରେ ।
ପ୍ରଭୁ ରାମଚନ୍ଦ୍ର ଶହେ ଆଠ ପଦ୍ମ
ଦୁର୍ଗାଙ୍କୁ ଅର୍ପଣ କଲେ
ଦୁର୍ଗା ଆଶୀର୍ବାଦେ ରାବଣଙ୍କୁ ମାରି
ଅଯୋଧ୍ୟାକୁ ଫେରି ଥିଲେ ।
ସୁମନଟି ଆଣେ ମନେ କେତେ ଶାନ୍ତି
ମନକୁ ମୋହିତ କରେ
ତା ପାଇଁ ମଣିଷ ରାଗ କ୍ରୋଧ ଭୁଲି
ରହି ଥାଏ ଆନନ୍ଦରେ ।
କେତେ ଯେ ସୁମନ ଗଛ ଆପେ ଉଠେ
କେତେ ପୁଣି ଲଗା ଯାଏ
କେତେ ଯେ ଏହାକୁ ବ୍ୟବସାୟ କରି
ପରିବାର ପୋଷୁ ଥାଏ ।
ବାଡି ବଗିଚାରେ ଫୁଟି ହସୁ ଥାଏ
ଅପରା ଜିତା ବାଡରେ
ରଞ୍ଜନୀଗନ୍ଧାଟି ବାସନା ଛୁଟଇ
ମଲ୍ଲୀ ହରେ ସୁବାସରେ ।
ରେବତୀ ,ସେବତୀ, ଚମ୍ପା, ମଧୁମତୀ
ବ୍ରହ୍ମକମଳ ,ମନ୍ଦାର
ଅରଖ, ଦୁଦୁରା, କନିଅର ,ଗୟସ
ଗେଣ୍ଡୁ, ଗୋଲାପ ,ଟଗର ।
ଯୁଇ ,ଜାଇ ,ହେନା କେତେ ଯେ ବାସନା
କଦମ୍ବ ବରଷେ ଫୁଟେ
ଶିମିଳି, ପଳାସ ,କୃଷ୍ଣଚୂଡା ଫୁଲେ
ଜଗତ ରଙ୍ଗରେ ଛୁଟେ ।
ଏଇ ଫୁଲ ମନେ ଖୁସି ଭରି ଦିଏ
ଜୀବନ ହସାଉ ଥାଏ
ତାକୁ ଲଗାଇ ଯେ ଯତନ ତା ନିଏ
ସିଏ ତାକୁ ଭଲ ପାଏ ।
ତା ପାଇଁ ହସଇ ଏଇତ ଜଗତ
ପ୍ରକୃତିର ବନ୍ଧୁ ସିଏ
ନିଜ ହାତେ ଯିଏ ଲଗାଇଣ ଥାଏ
ତା ମହିମା ଜାଣି ଥାଏ ।