STORYMIRROR

Anita Dash

Abstract Tragedy Others

4  

Anita Dash

Abstract Tragedy Others

ସୁକୁମାରୀ ବଉଳ

ସୁକୁମାରୀ ବଉଳ

1 min
406

ଜୀବନର ଅବସ୍ଥିତିହିଁ 

ଜାହିର କରେ ଜୀବନର ଅସ୍ତିତ୍ଵ।

ଆଉ ସେହି ଅସ୍ତିତ୍ଵ,

ବିଭିନ୍ନ କ୍ରିୟା-ପ୍ରତିକ୍ରିୟାର ସାହାରାରେ

ମୂଲ୍ୟାୟନ ଅଭିବୃଦ୍ଧିରେ ବିକଶିତ ହୋଇ,

ସୂଚୀତ କରାଇଥାଏ ମନୁଷ୍ୟକୁ

ତା ଜୀବନ ଜୀଇଁବାର ଶୈଳୀ।


ଜୀବନଟା ଅହରହ

ଗତିଶୀଳ ସମୟର ପଥେ।

ସମୟର ପଥ ଧାରେ;

କଷଣ କଣ୍ଟକ କେବେ,

ପୁଣି କେବେ ସୁଖର କୁସୁମ।


ଦୁର୍ଭାଗ୍ୟର ଘନ କୁହୁଡି ଘେରରେ

ଅମୁହାଁ ଅମୁହାଁ ଦିଶେ ଖାଲି

ଜୀବନର ଚଲାପଥ ଧାର।

ପ୍ରଦ୍ୟୁଷିତ ପରିବେଶ ପରି

ଦୁର୍ଦ୍ଦଶାର ପ୍ରାଦୁର୍ଭାବ

କୁହୁଡିର ଘନତ୍ଵକୁ

କରିଥାଏ ଆହୁରି ବହଳ।

ଅତିଷ୍ଠ ସେ କ୍ରମାଗତ ବହଳ ଛୁଆଁରେ

ଆକ୍ତା ମାକ୍ତା ହୋଇ ଉଠୁଥାଏ

ସୁକୁମାରୀ ବଉଳ ଫୁଲ ପରିକା ଜୀବନଟି ଆହା!


ଅସହ୍ୟ ହେବାର ଜାଣି ଆପଣାର ଭାର,

କିଛି କିଛି କୁହୁଡିଆ ଅଂଶମାନ

କାକରର ବିନ୍ଦୁ ହୋଇ

ବୁନ୍ଦା ବୁନ୍ଦା ଝରିଯାଏ

କଅଁଳ ଟାଆଁଶା ମିଶା ଧରଣୀ ଛାତିରେ।


ଧିରେ ଧିରେ

ସୌଭାଗ୍ୟର ତୋଫା ତୋଫା ରବି କିରଣରେ

ଜଳି ଜଳି ଶେଷ ହୁଏ

ବାକି ଯେତେ କୁହୁଡିଆ ଧୂଆଁ।

ଝଲମଲ ଦିଶିଯାଏ ଚଉଦିଗ ସାରା।

ଖିଲିଖିଲି ହସିଉଠେ ଧରା।


ହେଲେ ସେବେଳକୁ

ଆଉ କିଛି ରହେ ନାହିଁ ବାକି।

ଘନ କୁହୁଡି ଧୂଆଁରେ ଶ୍ଵାସରୁଦ୍ଧ ହୋଇ

ସରି ସରି ଯାଉଥାଏ ଜୀବନ ନାଟିକା,

ସୁକୁମାରୀ ଆମ୍ଵ ବଉଳର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract