ସୁକ୍ତିସୁଧା
ସୁକ୍ତିସୁଧା
କି ସୁନ୍ଦର ସତେ ଅତି ମନୋହର, ଏହି ଯେ ବିଶ୍ବବ୍ରହ୍ମାଣ୍ଡ ।
ବିଧାତାଙ୍କ ସୃଷ୍ଟି ଅତୀବ ବିଚିତ୍ର, ଲାଗଇ ପରମାନନ୍ଦ ।୧।
ବିଶାଳ ପୃଥ୍ବୀ ଯେ ବିଭାଣ୍ଡର ସମ,ଗଗନ ଅଟେ ପିଧାନ ।
ଦହନ ଶକ୍ତିର ଆଧାର ଯେ ସୂର୍ଯ୍ୟ, ଦିବାରାତ୍ରି ଯେ ଇନ୍ଧନ।୨।
ମାସ-ଋତୁ ଦୁହେଁ ଚଟୁ ସମ କାର୍ଯ୍ୟ,କରନ୍ତି ପରିଘଟନ ।
କାଳ ଯେ ପାଚକ ରୂପରେ ପ୍ରାଣୀଙ୍କୁ,ସଦା କରଇ ରନ୍ଧନ ।୩।
ଅନିତ୍ୟ ଅଟଇ ଏହି ସଂସାରଟା,ଏହା ଅଟେ ସତ୍ୟ ବାର୍ତ୍ତା |
ଆପଣାକୁ ନର ଚିରଞ୍ଜିବୀ କହେ,ଏ ବଡ଼ ଆଶ୍ଚର୍ଯ୍ୟ କଥା ।୪।
ସମୟ ସ୍ରୋତରେ ସମସ୍ତ ପ୍ରାଣୀ ଯେ, ଯାଆନ୍ତି ଯମ ସଦନ ।
ତଥାପି ମନୁଷ୍ୟ ଅମର ହେବାକୁ,ବଳାଇଥାଏ ଯେ ମନ ।୫।
ସଂସାରେ ସେ ନର ଅଟେ ମହାସୁଖୀ,ଶାକ- ତଣ୍ଡୁଳ ଯେ ଖାଏ ।
ଅପ୍ରବାସୀ ହୋଇ ଆପଣା କୁଟୀରେ,ଋଣୀ ଯେ ହୋଇ ନ ଥାଏ।୬।
ବେଦ-ଧର୍ମଶାସ୍ତ୍ର-ପୁରାଣ ବାକ୍ୟ ଯେ, ମୁନି-ଋଷିଙ୍କ ବଚନ ।
ବିବାଦୀୟ ଅଟେ ସମସ୍ତ ପ୍ରମାଣ,ପ୍ରଶସ୍ତ ଯେ ମହାଜନ ।୭।
ମହାଜନ ଯେଉଁ ନୀତି-ଆଦର୍ଶରେ, ହୁଅଇ ଅନୁପ୍ରାଣିତ ।
ସେହି ସନ୍ମାର୍ଗଟି ସଦା ଧେୟ ହେଉ,ଯାହା ହୋଇଛି ଦର୍ଶିତ ।୮।
କାଳର କବଳେ ସର୍ବେ କବଳିତ, ଏହା ଅଟେ ଧ୍ରୁବସତ୍ୟ ।
କେଉଁ ଶକ୍ତିଶାଳୀ ତାକୁ ରୋକିବାକୁ,ନହେଁ କଦାପି ସମର୍ଥ ।୯।
ସମୟ ରଜ୍ଜୁରେ ଆବଦ୍ଧ ଯେ ପ୍ରାଣୀ,ଭୋଗୁଥାନ୍ତି ସୁଖ-ଦୁଃଖ ।
କୃତକର୍ମ ଫଳ ଅବଶ୍ୟ ଭୋକ୍ତବ୍ୟ,ନ ହୋଇ କଦା ବିମୁଖ ।୧୦।
ଶ୍ରେଷ୍ଠ ଜନ୍ମ ଅଟେ ମାନବ ଜୀବନ,ମର୍ତ୍ତ୍ୟରେ ତାହା ଦୁର୍ଲଭ ।
ଜ୍ଞାନାର୍ଜନ କରି ହୁଅଇ ସେ ଶ୍ରେଷ୍ଠ, ବିଦ୍ୟା ପୁଣି ସୁଦୁର୍ଲଭ ।୧୧।
ଉଚ୍ଚ କୁଳେ ଜନ୍ମ ଅଟେ ଦୈବାୟତ, ପୌରୁଷତ୍ବ ମଦାଧୀନ ।
ଏପରି ଭାବନା କରିଣ ମନୁଷ୍ୟ, ଅର୍ଜିଥାଏ ଯଶ-ମାନ ।୧୨।
ବ୍ୟକ୍ତିର ପୁରୁଷ ପଣିଆଟି ଅଟେ,ଦୟା-ସ୍ନେହ-ଉପକାର ।
ସତ୍ୟ-ଧର୍ମପଥେ ଚଳେ ଯେଉଁ ନର,ସିଏ ମାନବରେ ସାର ।୧୩।
ଜଗତେ କେବଳ କର୍ମ ହିଁ ଈଶ୍ବର,ଏହା ଯେ ଶାସ୍ତ୍ର ପ୍ରମାଣ ।
କର୍ମ ବିନା ନର ହୁଏ ହତଶିରୀ, ନ ଲଭେ ଖ୍ୟାତି-ସମ୍ମାନ ।୧୪।
ଅକୃତ୍ୟ କର୍ମଟି ସଦା ପରିହାର୍ଯ୍ୟ, ଯଦି ଚାଲିଯାଏ ପ୍ରାଣ ।
କର୍ତ୍ତବ୍ୟକୁ କେବେ ତ୍ୟାଗ ନ କରିବା, ତାହା ଧର୍ମ ସନାତନ ।
ମହାତ୍ମାମାନଙ୍କ ଏକତ୍ଵ ଭାବନା, କର୍ମ-ମନ ଓ ବଚନ ।
ସ୍ବକୀୟ ଧର୍ମରେ ରହିଣ ଅଟଳ,କରନ୍ତି ସତ୍କର୍ମମାନ ।୧୬।
ମନରେ ଚିନ୍ତିତ କାର୍ଯ୍ୟକୁ କଦାପି,ବଚନେ ପ୍ରକାଶ ନ କର ।
ଅନ୍ୟ ଦ୍ବାରା ସେହି ଲକ୍ଷିତ କାର୍ଯ୍ୟର,ନ ହୁଏ କେବେ ସଫଳ ।୧୭।
ଧୈର୍ଯ୍ୟ-ବୁଦ୍ଧି ପୁଣି ଉତ୍ସାହ-ସାହସ, ଶକ୍ତି ଆଉ ପରାକ୍ରମ ।
ଯେଉଁଠାରେ ଷଡ଼ଗୁଣ ରହିଥାଏ, ଦେବ ହୁଅନ୍ତି ପ୍ରସନ୍ନ ।୧୮।
ଯେଉଁଠାରେ ନାରୀମାନଙ୍କୁ ସର୍ବଦା କରାଯାଏ ସୁସମ୍ମାନ ।
ସକଳ ଦେବତା ସଦୈବ ସେଠାରେ,କରିଥାନ୍ତି ବିହରଣ ।୧୯।
ଅହିଂସା ଯେ ଅଟେ ପରମଧରମ,ଅହିଂସା ଯେ ଶ୍ରେଷ୍ଠ ତପ ।
ପରମ ସତ୍ୟଟି ଅଟଇ ଅହିଂସା, ଧର୍ମର ସେ ପରିମାପ ।୨୦।
