ସତ୍ୟର ଅନ୍ତରାଳେ
ସତ୍ୟର ଅନ୍ତରାଳେ
“ମୁଁ”ର ସଂଜ୍ଞା ଖୋଜି ଖୋଜି ସାରା ଜୀବନ
ନିରାଶ ହୋଇଗଲା ପରେ,
ଭାବି ନେଇଥିଲି ନା ହୁଏତ ଏହାର କିଛି ମାନେ ନାହିଁ,
ବା ମାନେ ଅଛି କିନ୍ତୁ ମୁଁ ବୁଝି ପାରିନି ଏଯାଏ l
ଖୋଜିବା କିନ୍ତୁ ଜାରି ରଖିଥିଲି ,
ଅନୁଶୀଳନ ବିଶ୍ଳେଷଣ କରି ଚାଲୁଥିଲି
ଆଜି କିନ୍ତୁ ଏ କରୋନା ଆସି
ବୁଝେଇ ଦେଇଗଲା ଆଖିର ପଲକେ l
ନିମିଷ ସମୟ ମଧ୍ୟେ
ତୁ କିଛି ନୁହେଁ ରେ ମୂର୍ଖ “ମୁଁ”
ସମୟର ତୁ ଏକ ଖେଳ ମାତ୍ର
ନିମିଷେ ଉଭେଇ ଯାଇପାରୁ ଅଦୃଶ୍ୟ ହାତରେ l
“ମୁଁ”ଏହା କରୁଛି, “ମୁଁ” ଏହା କରି ପାରିବି
କେତେ ଦମ୍ଭ ଥିଲା ଏ ମନ ଭିତରେ
କିନ୍ତୁ ସବୁ ବିଲିନ ହୋଇ ଯାଇ ପାରେ
ଦିନେ କାଳର କବଳେ l
ଅକାରଣେ, ଅଦିନରେ, ଅସମୟରେ,
ଏ ଭାବାନ୍ତର କେବେ ନଥିଲା ମନକୁ ଆବୋରି
ଭାବୁଥିଲୁ “ମୁଁ” ଏକ ଅସାଧାରଣ କେହି
ଗଢିପାରେ ସୁଉଚ୍ଚ ଅଟ୍ଟାଳିକା ଠାରୁ ଆରମ୍ଭ କରି କମ୍ପୁଟର ପର୍ଯ୍ୟନ୍ତ l
ଯାଇପାରେ ଏ ପ୍ରାନ୍ତରୁ ସେ ପ୍ରାନ୍ତ ,
ଅନାୟସେ ଉଡିପାରେ ବିନା ବାଧା ବିଘ୍ନେ,
ଏବେ ଦେଖୁଛି,ଏଇତ ସେଇ ମଣିଷ
କେତେ ଅସହାୟ ଭାବେ, ଉର୍ଦ୍ଧକୁ ଦେଇଛି ହାତ ଟେକି l
ଦୟନୀୟତାର କରୁଛି ସ୍ଵାକ୍ଷର
କୁଢ କୁଢ ଶବର ଅସହାୟ ନିରବ ଚିତ୍କାର ଭିତରେ
ଜଗତକୁ ଡାକି କହୁଥିଲା “ମୁଁ” କିଏ, କେ କହି ପାରିବ
କୋଉଠୁ ଆସି କୁଆଡେ ଯାଉଛି, କଣ ଥିଲା ମୋର ପରିଚୟ l