ସତୀତ୍ଵର ପରିଭାଷା
ସତୀତ୍ଵର ପରିଭାଷା


ସତୀତ୍ୱ!
କଣ ଅବା ପରିଭାଷା ତାର ?
କେତେ ଦୂର ପରିସୀମା ତାର ?
କେତେ ଗରୁ ବସ୍ତୁତ୍ଵ ତାହାର ?
ସତେ କଣ ସତୀତ୍ୱଟି ଅଳଙ୍କାର,
ମଣ୍ଡିବାକୁ ନାରୀର ଶରୀର ?
ପୁରୁଷକି ସତୀତ୍ୱର ସଂଜ୍ଞାରୁ ବାହାର !
ସଂସାରର ଶ୍ରେଷ୍ଠ ପ୍ରାଣୀ ରୂପେ
ସ୍ରଷ୍ଟା ସର୍ଜି, ମାନବ ଶରୀର,
ଭବିଷ୍ୟତ ବଂଶ ବୃଦ୍ଧି ଲାଗି
ଭିଆଇଲେ ନାରୀ ଆଉ ନର।
ପଶୁଠୁ ଉତ୍କୃଷ୍ଟ ହେବା ପାଇଁ
ଖଞ୍ଜି ଦେଲେ ବିବେକ-ଚେତନା,
ଭାବନାର ବିନିମୟ ପାଇଁ
ଭେଟିଦେଲେ ବାକ ଶକ୍ତି ସିନା !
ପାପ-ପୂଣ୍ୟ, ଭଲ-ମନ୍ଦ ଆଉ
ଆଗ-ପଛ, ନୀତି-ଅନୀତିରେ,
ଲିଙ୍ଗ ଭେଦ, ସାମାଜିକ ଭେଦ
ରହିଛିକି ସୃଷ୍ଟିର ମୂଳରେ ?
ସତୀତ୍ଵ ଓ ସଚ୍ଚରିତ୍ର କିମ୍ପା
ସେ ଧାରାରୁ ହେବେ ବ୍ୟତିକ୍ରମ,
ସଂସ୍କାର, ସୁନୀତି, ସଦାଚାର,
ସଭିଙ୍କର ପାଇଁତ ସମ୍ମାନ !
ତେବେ କାହିଁ ପ୍ରାଚୀନ କାଳରୁ
ସତୀତ୍ଵର ଏ ବିଭେଦ ଭାଷା,
ନାରୀଟି ନିମନ୍ତେ ଆୟୋଜନ
ବାରମ୍ବାର ଅଗ୍ନିର ପରୀକ୍ଷା ।
ପୁରୁଷଟ
ି ପାଇଁ କିନ୍ତୁ କାହିଁ
ପରୀକ୍ଷାର ନାହିଁ ପ୍ରୟୋଜନ,
ସ୍ୱେଚ୍ଛାଚାରୀ, ଉତ୍ସୃଙ୍ଖଳତା କି
ପୁରୁଷର ଗାରିମା ବଖାଣ ??
କଳଙ୍କକି କାଳିମାର ଟୀକା
ମଣ୍ଡିବାକୁ ନାରୀର ଶରୀର,
ପୁରୁଷକି ସୁବର୍ଣ୍ଣୁ ସମ୍ଭବ ;
ଲାଗେ ନାହିଁ କଳଙ୍କର ଗାର ?
ଭାରତୀୟ ସଂସ୍କୃତି ପୂଜାରୀ
ବେଦଧର୍ମ ପାଇଁ ମୁ ଗର୍ବିତ,
ପକ୍ଷପାତୀ ଏହି ବିଭେଦଟି
ମନରେ ମୋ ସରଜେ ବିରାଗ।
ପିତାମାତା ମନରେ ଏବେ ବି
ମାନସିକତା ରହିଛି ଭିନ୍ନ,
"କନ୍ୟାଟିଏ ମାଟିହାଣ୍ଡି ପରି,
ପୁତ୍ର ପରା କଂସାର ବାସନ"!!
ଯେତେଦିନ ଯାଏଁ ସମାଜରେ
ରହିଥିବ ଭିନ୍ନ ଭିନ୍ନ ଭାବ,
ବ୍ୟଭିଚାର, ନାରୀ-ବଳାତ୍କାର,
ଅସଦାଚରଣ ବଢୁଥିବ ।
ଆସ ଆମେ ବଦଳାଇ ଦେବା
ସଂକୁଚିତ ଏ ମାନସିକତା,
ସଂଯମତା, ସଂଭ୍ରମ-ସତୀତ୍ଵ,
ପୁରୁଷ ଓ ନାରୀ ପାଇଁ ଏକା।
ବାଲ୍ୟକାଳରୁ ସନ୍ତାନ ମାନଙ୍କୁ
ଦେବା ଶୁଦ୍ଧ ସଂସ୍କାରର ବୁଟି,
ବ୍ୟଭିଚାର, ବଳାତ୍କାର ବ୍ୟାଧି
ସମାଜରୁ ଧୀରେ ଯିବ ହଟି ।