ସତ କହି ଦିଅ ବାପା
ସତ କହି ଦିଅ ବାପା
ନିରବ ନିଃସ୍ତବ୍ଧ ରଜନୀରେ ବୁଡି
କାହିଁକି ବସିଛ ତୁମେ
କେଉଁ ଅନ୍ୱେଷଣେ ଜିଜ୍ଞାସୁ ପ୍ରାଣଟି
ପଡିଛି ସଂଘର୍ଷ ରଣେ ।
ବଡ଼ ମୁଁ ହୋଇଛି ତୁମରି କୋଳରେ
ତଥାପି ନପାରେ ଜାଣି
ସତ କୁହ ବାପା ନିଷ୍ପାପ ଆଖିରୁ
କାହିଁକି ବୁହାଅ ପାଣି ।
ବ୍ୟାଧି ଜ୍ୱର କଷ୍ଟ କର ନାହିଁ ସ୍ପଷ୍ଟ
ସେବା କର ପ୍ରତ୍ୟାହୃତ
ଚିର ଦିନ ପାଇଁ ଋଣି ରହି ଗଲେ
ତୁମେ କି ହୋଇବ ପ୍ରୀତ ।
ତୁମେ ଯେତେବେଳେ ପ୍ରକାଶ ନକରି
ନିରବକୁ କର ସାଥୀ
ମୋ ଆଖି ଆଗରେ କୁଜଝଟିକା ଖେଳି
ଚଳେନା ଜୀବନ ରଥୀ ।
ବର୍ଷା ଖରା ତାପ ମଥାର ପଗଡ଼ି
ସ୍ୱେଦ ବିନ୍ଦୁ ଓଠ ପିଏ
ତଥାପି ବାପା ହେ ମିଛ କହି ଦିଅ
କିଛି ନାହିଁ ମୋର ଦେହେ ।
ସବୁ ଦୁଃଖ ଦେଖି ପାରିଛି ବାପା ହେ
ପରଗୋତ୍ରୀ ହେବା ପରେ
ବାପା ଯଦି ସତ୍ୟ ବଚନ ବୋଲିବେ
ସୁଖ କିଏ ଦେବ ଭାରେ ।
