ଷ୍ଟୁଡିଓର ପୁରୁଣା ଫୋଟ
ଷ୍ଟୁଡିଓର ପୁରୁଣା ଫୋଟ
ଷ୍ଟୁଡିଓ ବେପାର ଆଉ ନାହିଁ
ତଥାପି ଷ୍ଟୁଡ଼ିଓ ଖୋଲା ଅଛି
କାଳେ କାହାକୁ ଷ୍ଟୁଡିଓ ଫଟୋ ଲୋଡା ହେବ !
କ୍ୟାମେରା ବି ଠିକ୍ ଅଛି
ହେଲେ ବହୁତ ଦିନ ହେଲାଣି ଫଟୋ ଉଠିନି
କଭର୍ ଭିତରେ ଆରାମରେ ଶୋଇଛି
ଡିଷ୍ଟର୍ବ ତ ହେଉନି,ତେଣୁ ବହୁତ ଆରାମ ।
ବେପାର ହେଉନି, ରୋଜଗାର ନାହିଁ
ମନରେ ଖୁସିର ଢେ଼ଉ ଉଠୁନି
ତଥାପି ମୁହଁରେ ହସକୁ ସ୍ଥାନ
ଗ୍ରାହକ ସମ୍ମୁଖରେ ,ଷ୍ଟୁଡିଓ ଭିତରେ
ଷ୍ଟୁଡିଓର ପୁରୁଣା ଫୋଟ
ଏବେ ବି ସାଇତି ରଖିଛି
ଗ୍ରାହକଙ୍କ ଆକର୍ଷଣ ତଥା ଷ୍ଟୁଡିଓର ଶୋଭା
ମନରେ ବି ଲୋଭ ପୁରୁଣା ଫୋଟ
ଯାହା ହେଲେ ବି ,ପୁରୁଣା ସ୍ମୃତି
ହାତରେ ଏବେ ପୁରୁଣା ଆଲବମ୍
ଆପେ ଆପେ ହାତ ପୃଷ୍ଟା ପରେ ପୃଷ୍ଠା
ହଟାତ୍ ଆଖି ଗଲା ଲାଖି
ଏକ ଫୋଟର ଚାହାଣି ଭଙ୍ଗୀରେ
ଓଃ ହ! ଏଇତ ସେଇ ଫୋଟ
ମୋ ଷ୍ଟୁଡିଓ କୁ ଦୋହଲାଇ ଥିଲା !
ଫଟୋର ଚେହେରା ଭଲ ଭାବେ ଜଣା
ଆମ ସାହି ଲାଜକୁଳୀ କୁଆଁରୀ କନିଆ
କିଛି କାମ ଥାଉ କି ନ ଥାଉ
ଆମ ଘର ପାଖ ଦେଇ ଯିବା ଆସିବା
ଅତି କମ୍ ରେ ଦଶ ବାର ଥର
କିଛି ବୁଝିବା ଆଗରୁ ଲାଗିଲା ନଜର
ଗାଁ ସାହି କଥା, ଟୁପୂରୁ ଟାପୂରୁ ବେଶି
ହେଇ, ୟା'ର ତା'ର କିଛି କିଛି
ସେଇ କିଛି କିଛି ହେଲା ବେଶି ବେଶି
ଦେଖା ଦେଖି ଆଉ ଖାଲି ହସା ହସି
ଫସିବା ଆଗରୁ ଘର ଲୋକ ଦେଖାଇଲେ ଫାଶୀ
ଲୁଚି ଲୁଚି ଦେଖା ଦେଖି, ଟିକେ ଟିକେ ହସ
ଟିକେ ଟିକେ ହସରେ ବି ଆଭାସ ମିଳିଲା
ଆଉ ହସ ନ ଥାଇ କି ଦେଖା ଦେଖି !!
ଲୁଚି ଲୁଚି ଦେଖା ହେଲେ ଯାତରା ନାଚରେ
ଗୁପ୍ତଚର ଘେରି ଯାଉଥିଲେ
ମିଛ ବାହାନାରେ,କିଛି କଥା କହିବାକୁ
ଆଉ ଦେଖିବାର ସ୍ପୃହା କମିଗଲା
ସ୍ପୃହା ନ ଥାଇ ହସ ବି ଲୁଚିଲା
ଦେଖିବା ହସିବା ସବୁ ଉଭାନ୍ ହୋଇଲା ।
ସେଇ ଫୋଟ ଅଛି ମନ ଷ୍ଟୁଡ଼ିଓରେ
ବେଳେ ବେଳେ ମନେ ବି ପଡୁଛି
କେମିତି ସେ ଚାଲି ଥିଲା, କେମିତିଆ ହସ
ବାଙ୍କ ଚାହାଣୀରେ ଲାଜୁଆ ମୁରୁକି ହସ
ହୃଦୟର ସ୍ପନ୍ଦନରେ ବଢୁଥିଲା ବେଗ
ମନ ଖୋଲି କହି ହେଲା ନାହିଁ
ହୃଦୟର ଭାବ ଓ ଆବେଗ
ଓଃ ହ! ସେ ଏକ ପୁରୁଣା ଫୋଟ
ପୁରୁଣା ଚରିତ୍ର,ଏବେ ଆଗକୁ ବଢିବା
ଷ୍ଟୁଡିଓ କଥାରେ ମନ ଆଉ ଧ୍ୟାନ
ଏଣେ ତ ବେପାର ମାନ୍ଦା !
ଆଉ ଭାବିଲେ କଣ ହେବ !
ମନ ଷ୍ଟୁଡିଓର ସେ ଥିଲା ପୁରୁଣା ପ୍ରଥମ ଫଟୋ
ଏବେ ଷ୍ଟୁଡିଓ ନୂଆ ରୂପରେ
ହେଲେ ,ଗ୍ରାହକଙ୍କ ଆଗ୍ରହ ଆଗ ପରି ନାହିଁ
ନିଜେ ନିଜର ଫୋଟ ମୋବାଇଲ୍ ସହିତ
ଷ୍ଟୁଡିଓ ଓ ଫଟୋଗ୍ରାଫର୍ କିଏ ବା ଖୋଜୁଛି, !
ପୁରୁଣା ଗ୍ରାହକ ଭଲ ଥିଲେ
ଷ୍ଟୁଡିଓ ବି ଭଲ ଚାଲିଥିଲା
ଏବେ ବେପାର ନାହିଁ,ଗ୍ରାହକ ବି ଆସୁନାହାନ୍ତି
ଆଉ ଷ୍ଟୁଡିଓ କଣ ହେବ ! !
ମନ ଷ୍ଟୁଡ଼ିଓରେ ଯିଏ ଅଛି ଥାଉ
କିଛି ନ ହେଲେ ବି, ସ୍ମୃତି ସେଇ ପୁରୁଣା ଦିନର !
