ସରୁ ନ ଥିବା ଅନିଶ୍ଚିତତା
ସରୁ ନ ଥିବା ଅନିଶ୍ଚିତତା
ସମସ୍ତେ ଉଠି ଗଲେଣି,
ଗଛ-ବୃଛ, ପଶୁପକ୍ଷୀ, ନର -ବାନର
ଗାଁ - ଗଣ୍ଡା, ସହର-ବଜାର,
ଏମିତି କି, ରାତିରେ ଶୋଇ ପଡ଼ିଥିବା
ସେ ରାଜରାସ୍ତା ଆଉ
ହୁଏତ ତୁମେ ବି;
କିନ୍ତୁ,
ମୋ ଆଖିରେ ଅସରନ୍ତି ଅପହଞ୍ଚ ଆଶାର ଜୁଆର
ଆଉ, ସାମର୍ଥ୍ୟ ବିହୀନ ସ୍ୱପ୍ନର ସମ୍ଭାର
ସାରା ରାତି ବିନିଦ୍ରେ ଜଗି,
ସକାଳେ କ୍ଳାନ୍ତ ହୋଇ, ସୂର୍ଯ୍ୟାଲୋକରେ
ଲବଣାକ୍ତ ହୁଏ, ଆଖି ଆଖିରେ ସମାଧି ନିଏ
ଅକାଳେ, ଅସମୟେ ଅନାୟସେ ଝରିଯାଏ
ଠିକ୍ ସେଇ ଝରାଫୁଲ ପରି
ତୁମ ଆସିବା ବାଟକୁ ପ୍ରତୀକ୍ଷା କରି ।।
ତୁମେ କିନ୍ତୁ,
ମୋର ଏହି ଆଶା ଓ ସ୍ବପ୍ନ ମାନଙ୍କର
ଧାର୍ ଧାରନି କି, ମୂଲ୍ୟ ବୁଝନି ;
ତୁମ ପାଇଁ ଏସବୁ
ସାମର୍ଥ୍ୟ ବିହୀନ ସ୍ବପ୍ନମାନଙ୍କର
କଣ କିଛି ଗୁରୁତ୍ୱ ଥାଏ, ନା,
ଏଇ ସବୁ ଅପହଞ୍ଚ ଆଶା ମାନଙ୍କର
କିଛି ବାସ୍ତବତା;
ହଁ , ଯଦି ଥାଏ, ତେବେ ମୋ ପାଇଁ
କେବଳ ଏବଂ କେବଳ ହିଁ,
ଏକ ଦୀର୍ଘସ୍ଥାୟୀ ତୃପ୍ତିକର ନିଶ୍ୱାସ
ମଧ୍ୟରେ, ଏକ ଅଜଣା ଅବ୍ୟକ୍ତ
ଦ୍ବନ୍ଦାତ୍ମାକ ଆକର୍ଷଣତା, ଓ
କେବେ ସରୁ ନ ଥିବା ଅନିଶ୍ଚିତତା ।।

