ସର୍ପ ଜଣାଣ
ସର୍ପ ଜଣାଣ
ରାଗ – କାମୋଦି
କବି ସୂର୍ଯ୍ୟ ବଳଦେବ ରଥ
ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି
ତୁମ୍ଭକୁ ଜଗନ୍ନାଥ ଆଜ ମୋ ମନରଥ
ଭରତି କରି ଦେବି ଗାଳି ହେ କୃପାନିଧି
କରୁଣା ସିନ୍ଧୁ ବୋଲି କରି, କହନ୍ତି ବୁଧେ ଡରିମରି
କାଳସର୍ପ ଆପଣ, କବଳ କର ପ୍ରାଣ-
ପବନମାନଙ୍କୁ ସବୁରି ହେ କୃପାନିଧି (1)
ଜଳଧିଅନ୍ତେ ନିଜ, ଘର ଦେବାଧିରାଜ,
ବୁଡାଇ ଦେଇଛ ଆପଣ
ତୁମ୍ଭରି ସିନା ଘେନ, ଆଶ୍ଚର୍ଯ୍ୟ ନୁହେଁ ଆନ,
ଜନର ଘରବୁଡାପଣ ହେ କୃପାନିଧି
ଭୁଜଙ୍ଗସାମ୍ୟ ଆମ୍ଭ ତୁଲେ, ବତାଅ ବୋଲି ଆଜ୍ଞା ହେଲେ,
ମୁଁ ନୁହେଁ ଘରବୁଡା, ବତାଇବାକୁ
ଛିଡା ହୋଇଛି ବତାଇବି କଲେ ହେ କୃପାନିଧି (2)
ତାହାକୁ ବୋଲି ଚକ୍ରୀ, ଚକ୍ର ଥିବାରୁ ଚକ୍ରୀ, ତୁମ୍ଭେ ତ ବୋଲାଅ ମଣ୍ଡଳେ
ବୋଲାଇ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ
ମକର କୁଣ୍ଡଳେ ହେ କୃପାନିଧି
ଅଦୃଶ୍ୟ ହେବାରୁ ତ ପାଦ, ତାହାକୁ ବୋଲି ଗୂଢପଦ
ଆପଣା ଚରଣ ତ ବିରଞ୍ଚିକୁ ଗୁପତ କାହିଁ
ତାଠାରୁ ତୁମ୍ଭ ଭେଦ ହେ କୃପାନିଧି (3)
ହେବ ବା ଅବଧାନେ, ତାହାକୁ ତ୍ରିଭୁବନେ, ବୋଲନ୍ତି କାକୋଦର ନରେ
ଏ ତ୍ରିପିଷ୍ଟପଯାକ ମଧ୍ୟେ ଗୋଟିଏ କାକ ନାହିଁ କି ତୁମ୍ଭରି ଉଦରେ ହେ କୃପାନିଧି
ବିବରେ ସେ ଅତି ଲମ୍ପଟ,ବିବର ବିହଙ୍ଗମ ରାଟ,
ବିଧିରେ ସେ ଲମ୍ପଟ, ଆପଣ ତ ପଟ ପଟକେ ହୋଇ ଅଛ ସ୍ପୁଟ ହେ ମହାପ୍ରଭୁ (4)
କାନ ନଥାଇ ଆଖି, ଭୁଜଙ୍ଗ ଠାରେ ଦେଖି, ନୟନାଶ୍ରବା ବୋଲି ତାକୁ
କହ କମଳାନନ କାହିଁଛି ତୁମ୍ଭ କାନ, ସର୍ପ ବୋଇଲେ ଚଳିବାକୁ ହେ କୃପାନିଧି
ଫଣିକାୟାକୁ ବୋଲି ଭୋଗ, ଥିବାରୁ ସେ ଦୁଇ ସଂଯୋଗ, କାହାକୁ ବୋଲି ଭୋଗୀ
ତୁମ୍ଭେକି ନୁହଁ ଭୋଗୀ କରୁ ଯା ଅଛ ମହା ଭୋଗ, ହେ କୃପାନିଧି (5)
ଯେବେ ଭୁଜଙ୍ଗ ନୁହ, କାଳିୟଠାରେ ଦ୍ରୋହ କଲ କାହିଁକି ଏଡେ କରି ,
କେତେ ନଥିଲେ ଗୋପେ, ତୁମ୍ଭେ କାହିଁକି କୋପେ, ତାହାକୁ ଦେଇ ପ୍ରାଣେ ମାରି ହେ କୃପାନିଧି
ତାହାରି ନାମେ ତୁମ୍ଭ ନାମ, ଅଦ୍ୟାପି ହୋଇଛି ଜନମ, ଯେବେ ସ୍ୱଗୋତ୍ର ଦ୍ରୋହ,
ନ ଥାନ୍ତା ନାଥ କହ କିମ୍ପାଇ ହୁଅନ୍ତା ଏ କ୍ରମ ହେ ମହାପ୍ରଭୁ (6)
ଜାଣି ବାଳୁତକାଳୁ, ଲବଣୀ ହାଣ୍ଡିତଳୁ, ଧରି ପାଶରେ ଦୃଢେ ଭିଡି
ଦୟା ନକରି ତିଳେ, ଯାମଳା ତରୁତଳେ ଜନନୀ ନେଇଦେଲେ ଛାଡିହେ କୃପାନିଧି
ଯେତେକ ଥିଲା ଗର୍ଭେ ପଡି, ଜୀର୍ଣ୍ଣ ହେବାକୁ ହେଲ ଭିଡି, ତିନି ଜଗତ ଯାକେ,
ଜାଣି ତ ଥିବେ ଲୋକେ ସେ ତରୁ ଯିବାରୁ ଉପୁଡି, ହେ କୃପାନିଧି (7)
ବ୍ରହ୍ମା ଶଙ୍କର ମୁଖ୍ୟ, ଦେବଙ୍କ ଠାରୁ ମୋକ୍ଷପ୍ରଧାନ ଧନ ଗୁଡା କଲ
ପତିତକୁ ନପୋଷି,-ବାରୁ କ୍ରମରେ ଆଶୀ- ବିଷ ପରାଏ ଆଭାସିଲ ହେ କୃପାନିଧି
ଅସାବଧାନେ ଗଲେ ମିଳି, ଗୋଟିକୁ ଗିଳଇ କୁଣ୍ଡଳୀ, ଅଗଣିତ ବ୍ରହ୍ମାଣ୍ଡ
ହାଣ୍ଡିମଣ୍ଡଳୀ ରୁଣ୍ଡକରି ଆପଣ ଅଛ ଗିଳି ହେ କୃପାନିଧି (8)
ଅ ହିତ ବୋଲାଏ ସେ, ଏକ ଅକ୍ଷର କୋଷେ, ଅ ବୋଲାଅ ନିପୁଣ
କଂସ ପ୍ରମୁଖାସୁର ବିପକ୍ଷ ମାନଙ୍କର ଅହିତ ହୋଇଛ ଆପଣ ହେ କୃପାନିଧି
ଜଗତେ ଧରି ଯେବେ ଅହି, ଘଟ ଗୋଟିକେ ନେଇ ଥୋଇ,ଅଛ ଯାବତ ଘଟେ,
ବଞ୍ଚାଅ ଯେ କପଟେ, ମୋର ହାବୁଡୁ ଯିବ କାହିଁ, ହେ କୃପାନିଧି (9)
କେଉଁ ଶିଶୁ କାମିନୀ ସ୍ତନ୍ୟ ପାନରୁ ଘେନି ଜୀବନ ଯାଇଛି ଜଗତେ
ଶୋଷି ପୁତନା ପ୍ରାଣ, ଘେନିବାର ଜୀବନ,ନାହିଁକି ତୁମ୍ଭ ଦିବ୍ୟ ଚିତ୍ତେ, ହେ କୃପାନିଧି
ସକଳ କଥା ମୋର ଦେଖି, ଅଛନ୍ତି ଲକ୍ଷ ଲକ୍ଷ ସାକ୍ଷୀ, ବ୍ରଜେ ଭୁଜଙ୍ଗଚାଲି,
କରି ମୁଁ ନାହିଁ ବୋଲି, ଛୁଅଁ ତ ଥରେ ଚକାଆକ୍ଷି ହେ କୃପାନିଧି (10)
ନୁହେ ଆବାସ ଘର, ମାନସ ସରୋବର ଶୁଭିଲା ନାଗେଶ୍ୱର ରବ
କ୍ଷଣେ ନ ରହି ଧାଇଁ ଗଲଟି କାହିଁପାଇଁ, ଆଉ ନଥିଲେ କେତେ ଦେବ ହେ କୃପାନିଧି
ମନ୍ତ୍ର ଜାଣିବା ଲୋକେ ବଶ, ହୁଅନ୍ତି ସବୁ ଅଶୀବିଷ, ମନ୍ତ୍ରାଧୀନ ତ ତୁମ୍ଭେ,
ବଞ୍ଚାଉଅଛ ଦମ୍ଭେ, ଭୁଜଙ୍ଗ ନୁହେଁ ଆଉ କିସ, ହେ କୃପାନିଧି (11)
କହଇ କବିସୂର୍ଯ୍ୟ ନାଥ ନୁହ ଅଧୈର୍ଯ୍ୟ ଏଣିକି ମହତ ନ ଯାଉ
ମୁଁ ତୁମ୍ଭ ପରିବାର, ଜାଣିଲେ କି ବିଚାର ଇତରେ ନ ଜାଣନ୍ତୁ ଆଉ, ହେ କୃପାନିଧି
ଯେତେବେଳେ ମୋ ଅନ୍ତ ହେବ, ଏତିକି ମାତ୍ର ମୋତେ ଦେବ,
ପରେ ତରାଟଦ୍ୱାର- ସୀମାରୁ ପରିହାର କରାଇ ଯହିଁ ତହିଁ ନେବ ହେ କୃପାନିଧି (12)
