STORYMIRROR

Sachidananda Kar

Abstract Children

3  

Sachidananda Kar

Abstract Children

ସରଗପୁର ମୋ ସେଇ

ସରଗପୁର ମୋ ସେଇ

1 min
365


     

ମାଟି ମାଆ ଯହିଁ କୋଳରେ ତାହାର ସାଇତି ରଖିଛି ଶୋଭା

ଶାନ୍ତ,ସୁଶୀତଳ ସକାଳ ଓ ସଂଜ ଲାଗେ ଯହିଁ ମନଲୋଭା,

ମଲ୍ଲୀ, ହେନା,ଚମ୍ପା, ବକୁଳ ଯେଉଁଠି ଫୁଟନ୍ତି ଯାହାକୁ ଯେତେ

 ପରବ ପଛକୁ ପରବରେ ଖେଳେ ମନରେ ଆନନ୍ଦ କେତେ ।।


 ଆଷାଢ଼ ଆକାଶେ ବସଇ ଯେଉଁଠି କଳାବଉଦର ମେଳା

 କ୍ଷେତକୁ ଯିବାକୁ ଚଷା ପୁଅ ଯହିଁ କରେନି ଦିନଟେ ହେଳା,

 ପୂରିଲା ପୂରିଲା ଦିଶୁଥାଏ ଯହିଁ ସରୋବର, ନଦୀ, ନାଳ

  ଧୂସର ଭୂଇଁରେ ସବୁଜିମା ବାସ ସଜାଡେ ବରଷା କାଳ ।।


  ପଥ ଦୁଇ ଧାରେ ଅନାବନା ଗଛ ଅରଖ, ଦୁଦୁରା, ଗିଲ

  ଶୁଆରଙ୍ଗୀ ଶାଢ଼ୀ ପିନ୍ଧି ହସୁଥାଏ ଶରତର ଧାନ ବିଲ,

   ଭାବର ଝୋଟିରେ ଘରଣୀଟେ ଯହିଁ ପାଳେ ଗୁରୁବାର ଓଷା

  ପଣତ ଭିତରୁ ଫୁଟି ଦିଶୁଥାଏ ମାଆର ଢାଲିଆ ଖୋସା ।।

    

କାଢିବିନି ଗୋଡ ଯେ' ଯେତେ ଡାକିଲେ ଲକ୍ଷେ ବା କୋଟିଏ ଦେଇ,

ସେଇ ତ ମୋ ଗାଆଁ ଥିବି ମୁଁ ସେଇଠି ସରଗପୁର ମୋ ସେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract