ସର୍ବଂସହା
ସର୍ବଂସହା


ମୁଁ ନାରୀ
ଜାୟା, ଜନନୀ, ଭଗିନୀ
ସୃଜନର ଅନନ୍ୟ କାହାଣୀ
କେବେ ଶାନ୍ତ ମଧୁମୟ
ପାହାଡୀ ଝରଣା ତ
କେବେ ପ୍ରଖରା ସ୍ରୋତସ୍ଵିନୀ
ଯୁଗ ଯୁଗରୁ
ମୋ ପାଇଁ ହିଁ ପ୍ରଯୁଜ୍ୟ
ସବୁ ଶାସ୍ତ୍ର ଉପନିଷଦ ବାଣୀ
ମୁଁ ପରା ଘରର ଶ୍ରୀ
ତେଣୁ ଶ୍ରୀହୀନ ହେବା ଭୟରେ
ସିନ୍ଦୂରା ଫାଟିବା ଆଗରୁ
ମୋ ପାଇଁ ପାହିଯାଏ
ନିର୍ଲିପ୍ତ, ନୀରବ ରଜନୀ
ମହନତାର ମହଣ ମହଣ ଘିଅ
ଢଳାଯାଏ ମୋ ଉପରେ
ପୋତାଯାଏ ମିଛ ପ୍ରଶଂସାର
ମରୁବାଲିରେ ,
ଉପରେ ସଜାଇ
ସତେଜ ଗୋଲାପର ଫୁଲତୋଡା
ଗଢାଯାଏ ମୋ ସ୍ଵପ୍ନର କବର
ଆଉ ସେ କବର ଉପରେ
ତୋଳାଯାଏ ଏକ ଭବ୍ୟ ତାଜ ମହଲ
କେବଳ ଦୁନିଆଁକୁ ଦେଖେଇବା ପାଇଁ
ଏକ ସୁନ୍ଦର ଦାମ୍ପତ୍ୟର ଚିତ୍ର
ସେ ଚିତ୍ରରେ ନା ଥାଏ କିଛି
ସତ୍ୟତା ଅଥବା କିଛି ବାସ୍ତବତା
ସବୁ କିଛି ନୀରବରେ
ସହିଯାଏ ବୋଲି ମୁଁ ସର୍ବଂସହା
ସେଥିପାଇଁ ମହାନ ମୋ ସତ୍ତା
କିନ୍ତୁ ସେ ମହାନତାର
ଦୃଷ୍ଟି ଅନ୍ତରାଳେ
ଥାଏ କେତେ ଯେ ମାର୍ମିକ ବେଦନା ,
ତାହା କେବଳ ମୁଁ ହିଁ ଜାଣେ;
ସର୍ବଂସହାର ଉପାଧିରେ
ଭୂଷିତ ହୋଇ
ଭୂଲୁଣ୍ଠିତ ହୁଏ ମୋର ଆତ୍ମ ମର୍ଯ୍ୟାଦା
ଆଉ ମହନତାର ଅଗ୍ନିକୁଣ୍ଡରେ
ନିତି ନିତି ଜଳେ
ମୋ ନିଷ୍ପାପ ହୃଦୟର ଆତ୍ମା-ସଳିତା ।