ସ୍ପର୍ଶ
ସ୍ପର୍ଶ
ଦିଗବଳୟଠାରୁ ଏ ସଚରାଚର
ପ୍ରଭାତ ସ୍ପର୍ଶ ପାଇଣ,
ବିଭାବରୀ କୋଳ ପରିତ୍ୟାଗେ ସର୍ବ
ଗୁଞ୍ଜରି ଉଠଇ ପ୍ରାଣ,
ପ୍ରାଚୀ ତପନ ସ୍ପର୍ଶେ,
ସ୍ୱର୍ଣ୍ଣାଭ କିରଣ ବିଞ୍ଚିଣ ଧରାରେ
ମୁରୁକି ମୁରୁକି ହସେ,
ଭୂପ୍ରକୃତି ଶୋଭାମୟୀ ଦିଶେ ।
ସନ୍ଧ୍ୟାର ପରଶେ ପଶ୍ଚିମ ଆକାଶେ
ଅରୁଣିମା ବିଛୁରିତ,
ପକ୍ଷୀର କାକଳି ଗୋରୁ ହମ୍ବାରଡି
ମନ କରେ ବିମୋହିତ,
ଦେବାଳୟେ, ଗୃହରେ,
ଶଙ୍ଖ, ଘଣ୍ଟ ନାଦେ ସନ୍ଧ୍ୟାର ଆଳତୀ
ଭକତି ଜାଗ୍ରତ କରେ,
ସନ୍ଧ୍ୟା ବନ୍ଦନା ତୁଣ୍ଡ ସ୍ପର୍ଶରେ ।
ବରଷା ପରଶେ ଶୁଷ୍କ ମରୁଭୂମି
ହୋଇଉଠେ ଆତ୍ମହରା,
ପିଆସୀ ପ୍ରାଣରେ ତା' ସ୍ପର୍ଶ ଭରଇ
ପୂତ ମନ୍ଦାକିନୀ ଧାରା,
ତା' ସ୍ପର୍ଶେ ଧରାରାଣୀ,
ମଧୁର ମହକେ ବାସ୍ନା
ୟିତ ପ୍ରାଣେ
ସାଜେ ବିଭବର ରାଣୀ,
ବୃକ୍ଷପଲ୍ଲବରେ ବାନ୍ଧି ବେଣୀ ।
ସୁଖଦୁଃଖ ସ୍ପର୍ଶ ଜୀବନ ରଜ୍ଜୁରେ
ଖେଳୁଥାଏ ସଦା ଦୋଳି,
ଦୁଃଖର ପରଶ ଜଣେ ନପାଇଲେ
ସୁଖକୁ ପାରେନି କୋଳି,
ଏହା ସୃଷ୍ଟି ନିୟମ,
ସବୁ ଅନୁଭବ କରଇ ମାନବ
ପାଳନେ ନିଜର ଧର୍ମ,
ଫଳ ଦେଇଥାଏ ନିଜ କର୍ମ ।
ହୃଦୟକୁ ଭରି ଶାନ୍ତି, ମୈତ୍ରୀ ସ୍ପର୍ଶେ
ଯେତେଛନ୍ତି ଧରା ଭୂମେ,
ମମତାର ସ୍ପର୍ଶ ପରସ୍ପରେ ଯଦି
ବାଣ୍ଟି ଦେଉଥିବା ଆମେ,
ନରଖି ଭେଦଭାବ,
ତେବେ ସମଗ୍ର ବସୁଧାକୁ ବାନ୍ଧିବା
ରଖିଣ ସମତା ଭାବ,
ଯାହା ମାନବିକତା ବିଭବ ।