ସ୍ପନ୍ଦନର ଆଢୁଆଳେ
ସ୍ପନ୍ଦନର ଆଢୁଆଳେ
ଅନେକ୍ ଥର କାନଡେରେ
ସ୍ପନ୍ଦନର ବେଗ ମାପିବାକୁ
ତାର କଥା ଶୁଣିବାକୁ
ସେ କାହାକଥା କହେ
କାହିଁକି ଯେ ଅବିରତ ସ୍ପନ୍ଦିତ ହୁଏ
ମୋ ତୃତୀୟ ନୟନରେ
ମୁଁ ଲୁଚି ଲୁଚି ଚାହେଁ
ମୋତେ ଚାହିଁ
କେବେ ସେ ମୁରୁକି ହସିଦିଏ
କେବେ ପୁଣି ଅଭିମାନେ
ମୋ ଆଖି ସହ ତା ଆଖି ମିଶାଏ ।
ଆଖିର ପରଦା ହଟେଇ
ଦିକ୍ ଦିକ୍ ଜଳୁଥିବା
ଦୀପଟିକୁ ଦେଖେ
ମୋ ମନର ଶୁଭ୍ର ପରଦାରେ
କେବଳ ତୁମ ନାଁ ଲେଖେ
ସ୍ପନ୍ଦନର ଆଢୁଆଳେ
ତୁମ ସ୍ବର ଶୁଭେ
ସୃଷ୍ଟିର ଆଦିମ ଝଂକାର ତ ତୁମେ
ସ୍ପନ୍ଦନ ହୀନ ମୁଁ
ତୁମ ଭାବର ଅଭାବେ
ସେଇ ସ୍ବର ହୃଦୟକୁ ଛୁଏଁ ପୁଣି
ଯେତେ ଯେତେ ତୁମ କଥା ଭାବେ ।
ଆଉ କେବେ ଆନମନା ହେଲେ
ଚଟ୍ କରି ମୋଡିଦିଅ କାନ
କହିଦିଅ ଆରେ
ମୁଁ ତ ଅପେକ୍ଷା କରିଛି ତୋତେ
ଏଣେତେଣେ କାହିଁକି ଧାଉଁଛୁ ଏତେ
ଏଇ ମନଖୋଲା କଥାପଦେ
ତୁମ ଛଡା କିଏ ବା କହିପାରେ ମୋତେ ।
