ଉତ୍କଳର ନେତା ସ୍ବୟଂ ନାରାୟଣ
ଉତ୍କଳର ନେତା ସ୍ବୟଂ ନାରାୟଣ


ତୁମ ଛତ୍ର ଛାୟା ତଳେ ରହିଅଛି
ପୁଣ୍ଯ ଭୂଇଁ ମୋ ଉତ୍କଳ
ଦୁଃଖରେ ସୁଖରେ ଭଲରେ ମନ୍ଦରେ
ଭରୁଛ କେତେ ଯେ ବଳ ।
ରହିଅଛ ପୁଣି ତାହାରି କୋଳରେ
ଅଦିନେ ଦେଇ ଅଭୟ
ଧନ୍ଯ ଅଟେ ମୋ କଳିଙ୍ଗ ଦେଖୁଛି
ରୂପ ତୁମ ଶୋଭାମୟ ।
ତୁମେ ରାମ କୃଷ୍ଣ ସତ୍ୟ ସନାତନ
ଶ୍ରୀକ୍ଷେତ୍ରେ ପୁରୁଷୋତ୍ତମ
କରୁଣା ତୁମର କଳି କେ ପାରିବ
ଜୀବନର ପ୍ରିୟତମ ।
ଫରଫର ଉଡେ ନୀଳଚକ୍ରେ ନେତ
ମହିମା ତୁମର ଗାଇ
ଭରସା ଦିଏ ସେ ଯାଅରେ ଆଗେଇ
ଭୟ ନାହିଁ ଭୟ ନାହିଁ ।
ତୁମଠାରୁ ବଡ ନେତା ଅଛି କିଏ
ସ୍ବୟଂ ତୁମେ ନାରାୟଣ
ନୀଳାଚଳ ଧାମେ ବିଜେ କରିଅଛ
ବିପଦ ତାରଣ କାରଣ ।
ଦୟାମୟ ହରି ତୁମେତ ଆସିଛ
ହରିବାକୁ ପାପ ସଂସାରୁ
ପ୍ରୟୋଜନ ନାହିଁ ଆଉ ତ କାହାରି
ଯେଣୁ ତୁମେ ମହାମେରୁ ।